କବିତା

ବର୍ଷା

Barshaa an odia poem by Navajyoti Rai

ମୋ ଦେହ ଆଉ ରହେ ନାହିଁ
ଦେହ ହୋଇ
ହୋଇଯାଏ ମାଟି
ସମଗ୍ର ଶ୍ରାବଣକୁ
ଶୋଷିନିଏ ନିଜ ଭିତରକୁ
ସାଇତି ରଖେ ତା’
ବତୁରାପଣକୁ ।

ବର୍ଷା

ବର୍ଷା ଆସିଲେ
ନିଖୋଜ ହୁଏ ନିଦାଘର
ସବୁ ଅହଂକାର
ମୋ ଭିତରୁ ସରିଯାଏ
ସବୁ ସନ୍ତୁଳି ହେବାର ମୁହୂର୍ତ୍ତ ।

ମୋ ଦେହ ଆଉ ରହେ ନାହିଁ
ଦେହ ହୋଇ
ହୋଇଯାଏ ମାଟି
ସମଗ୍ର ଶ୍ରାବଣକୁ
ଶୋଷିନିଏ ନିଜ ଭିତରକୁ
ସାଇତି ରଖେ ତା’
ବତୁରାପଣକୁ ।

ମୋ ଭିତରେ ଅନୁଭୂତ ହୁଏ
ନିର୍ବାପିତ ଚାତକୀୟ ତୃଷ୍ଣା
ଏବେ ପୁଣି ମୁଁ ହୁଏ
ଶାମୁକା
ଅପେକ୍ଷା କରେ
ବର୍ଷାର ପ୍ରତିଟି ବିନ୍ଦୁକୁ ।

ଏଠି ମୋର ସବୁ ଲଗ୍ନ
ସ୍ୱାତୀ ଲଗ୍ନ
ବିନ୍ଦୁଏ ମାତ୍ର
ବର୍ଷା ଲୋଡ଼ା
ହେବାକୁ ରୂପାନ୍ତର
ଏସବୁ ପାଇଁ
ମୋ ଭିତରେ
ଅହରହ
ଶୁଭୁଥାଏ ଆବାହନୀ
ବର୍ଷାର !

ଲୋକପ୍ରିୟ ଲେଖା

To Top