କବିତା

ବର୍ଷାଦିନ, ବୁଢ଼ାବଳଙ୍ଗ ଓ ଦିଲୀପ୍ ସ୍ୱାଇଁ

Dr Dilip Kumar Swain's odia poem Barshaadina, Budhabalanga O Dilip Swain

ଏବେ ତୋ ଚୁଲ୍‌ବୁଲ୍ ଛାତି ଉପରେ
ତତଲା ଇଟାଭାଟିର କୋକେଇ
ତୋ’ ଧବଳ ସତୀତ୍ୱକୁ ଲୁଟି ଚାଲିଛନ୍ତି
ମାଳ ମାଳ ଟ୍ରକ୍ ।

ବର୍ଷାଦିନ, ବୁଢ଼ାବଳଙ୍ଗ ଓ ଦିଲୀପ୍ ସ୍ୱାଇଁ

ଆକାଶରେ ଓହଳି ପଡ଼ିଲେ ମେଘ
ଏ ନଈ ପ୍ରେମିକା ପ୍ରେମିକା ଲାଗେ ।
ସବୁଜ ପତ୍ରର ପିଠିରେ
ଚିଠି ପଠାଏ ସମୁଦ୍ରକୁ ଶିମିଳିପାଳ ।
ମୁଁ ଆଉ କ’ଣ କରେ କି ?
ଟୋପା ଟୋପା ଲୁହ ପଠାଏ ପ୍ରେମିକା ପାଖକୁ
ବାଲେଶ୍ୱର !

ଏ ନଈର କୂଳସାରା
ଖାଲି କବିତାର ଘର ।
ନଊ ଆରପାରି ହାଣ୍ଡିଆ ହାଟରୁ ଫେରି ନ ଥିବା ମା’କୁ
କୂଳରେ ଠିଆ ହୋଇ ଡାକୁଥିବା ପୁଅର ତୃଷିତ ସ୍ୱର
କବିତା ନୁହେଁ ତ କ’ଣ ?
ମକରରେ ମୁଢ଼ି ଖାଇବାକୁ
ନଈକୂଳ ହୁଂକାରୁ ସାପ ଧରୁଥିବା ବାପକୁ
କ’ଣ ଭୁଲିପାରିବୁ ଦିଲୀପ ସ୍ୱାଇଁ ?
ଜଡ଼ିବୁଟି ଖାଇ ଖାଇ ମରିଯାଇଥିବା ଲୋକଙ୍କ
ଯୁଇ ଜଳିଛି ତୋରି ଶେଯରେ
ସ୍ୱାମୀର ସ୍ମୃତିକୁ ତୋ’ ପାଣିରେ ଫୋପାଡ଼ି
ଦାମୋଦର ପୂଜା ସାରି ଫେରୁଥିବା ତିର୍ଲାର ଅସହାୟତା
କ’ଣ କବିତା ଠାରୁ କମ୍ ?

ପୂନେଇଁ ରାତିରେ
କାଶତଣ୍ଡୀ ଫୁଲବନ ରୂପାଜହ୍ନ ତୋ’ ନଈପଠାରେ
ପ୍ରଥମ ଚୁମ୍ୱନ ଚିହ୍ନ
ପାଦ ପାଉଁଜରୁ ଝୁମୁକା ହଜେ
ନଈ ଲୁଚେଇ ଦିଏ
ଝିଅ ନଈ ହୋଇଯାଏ ।

ଏବେ ତୋ ଚୁଲ୍‌ବୁଲ୍ ଛାତି ଉପରେ
ତତଲା ଇଟାଭାଟିର କୋକେଇ
ତୋ’ ଧବଳ ସତୀତ୍ୱକୁ ଲୁଟି ଚାଲିଛନ୍ତି
ମାଳ ମାଳ ଟ୍ରକ୍ ।
ଏତେ ସବୁ କ୍ରୋଧକୁ ଛାତିରେ ଧରି
ଯେବେ ତୁ ଫୁଲିଉଠୁ ଶ୍ରାବଣରେ
ଏ ସହର ନିବସ୍ତ୍ର ହୁଏ କେମିତି କହ ?
ଆକାଶରେ ଓହଳି ପଡ଼ିଲେ ମେଘ
ମୋର ପ୍ରେମିକା ମନେପଡ଼େ
ନଈ ମନେପଡ଼େ
କବିତା ଖାତା ଖୋଜେ
ଲୁହ ଗଡ଼ିପଡ଼େ !

ଲୋକପ୍ରିୟ ଲେଖା

To Top