କବିତା

ବର୍ଷାର ଆଗମନ

Munna Mohapatra's odia poem Barshaara Aagamana

ଡାକି ଥିଲି ଆସ, ଆସ ମଉସୁମୀ,
ଆ’ରେ ବରଷା ଆ ।
ସ୍ୱାଗତ ତୋହର ଆମରି ସହରେ,
ଅଧୀର ହେଲାଣି ମନପ୍ରାଣ ଆମ
ବରଷାଇ ଦେଇ ଯା’ ।

ବର୍ଷାର ଆଗମନ

ଏତେ କୋପ କିମ୍ପା କରୁଛ ହେ ଦେବ,
ମୁଁ ପରା ଜଣେ ମାନବ ।
ସୂର୍ଯ୍ୟଙ୍କୁ କହିଲି ତାପ ଯେ ପ୍ରଖର,
ଇନ୍ଦ୍ରଙ୍କୁ କହିଲି ବରଷାଅ ନୀର,
ପରାଣ ଯେ ଚାଲି ଯିବ ।

ଡାକି ଥିଲି ଆସ, ଆସ ମଉସୁମୀ,
ଆ’ରେ ବରଷା ଆ ।
ସ୍ୱାଗତ ତୋହର ଆମରି ସହରେ,
ଅଧୀର ହେଲାଣି ମନପ୍ରାଣ ଆମ
ବରଷାଇ ଦେଇ ଯା’ ।

ଆସିଲା ବରଷା, ସାଥେ ଯେ ଝଙ୍କାର
ଦିନ ଦ୍ୱିପହର, କରି ଅନ୍ଧକାର
ଏଇ କି ଅଜବ ଉଗ୍ରରୂପ ତୋ’ର !

ପବନେ ଉଡ଼ିଲା, କଚ୍ଚା ଘର ଛାତ,
ପ୍ରକୃତିର ଏଇ ସତେ କି ଉତ୍ପାତ ?
ଶୁଷ୍କ ପତ୍ର, ଆଉ ଭୂ-ଧୂଳି ଆକାଶେ
ଅନ୍ଧକାର ଧରା ହେଲା ଚଉପାଶେ ।

ବିଦାରିଲା ଭୂମି, ଓପାଡ଼ିଲା ଦୃମ
ଶାନ୍ତ ଜଳଧିରେ ଜୁଆରର ସମ ।

ମାଗିଥିଲି ନୀର ଏ କି ଉପହାର,
ସହରକୁ ମୋର କଲ ଛାରଖାର ।
ବଢ଼ାଇଲ ଆମ ହୃଦୟ ସ୍ପନ୍ଦନ,
ବରଷା ହେ ତୁମ ଏ କି ଅଭିଯାନ ।

କ୍ଷେପଣାସ୍ତ୍ର ପ୍ରାୟେ ସହର ମଧ୍ୟରେ
ଦେଲ ଉପହାର ବଜ୍ର ଆକାରରେ ।
ନାରିକେଳ ବୃକ୍ଷ କ୍ଷଣେ ଗଲା ଜଳି
ଏହା ତୁମ ଠାରେ ନଥିଲା ମୋ’ ଅଳି ।
ପ୍ରକୃତି ମାତା ତୋ’ ଲୀଳା ଯେ ଅପାର,
କେବେ ଅନାବୃଷ୍ଟି, କେବେ ଦେଉ ନୀର ।

କେବେ ମାଗିବିନି ଆଉ କିଛି ବର,
ପାଳନ କର୍ତ୍ତା, ଏ ଦାୟିତ୍ୱ ତୁମର ।
ସମ୍ଭବ ଏ ସୃଷ୍ଟି ତୁମ୍ଭରି କୃପାରେ,
ବିନାଶ ଏହାକୁ କିଏ କରିପାରେ ।
ଏତେ ବଡ଼ ସୃଷ୍ଟି, ମୁ’ ଯେ ଛାର ନର,
ଶତ ଶତ ତୁମ ପଦେ ନମସ୍କାର ।

ଲୋକପ୍ରିୟ ଲେଖା

To Top