କବିତା

ବଟ ବୃକ୍ଷ

Pratap Chandra Rout

ଲକ୍ଷ ପଡ଼ିଗଲା ଫଳଟି ନାଲି,
ଡାଳେ ବସିଗଲା ପଞ୍ଝାକୁ ଖୋଲି ।

ବଟ ବୃକ୍ଷ

ପକ୍ଷୀ ଗୋଟେ ଉଡ଼ୁଥାଏ ଆକାଶେ,
ଖାଦ୍ୟଖୋଜୁଥାଏ ବଡ଼ ଉଲ୍ଲାସେ ।

ଲକ୍ଷ ପଡ଼ିଗଲା ଫଳଟି ନାଲି,
ଡାଳେ ବସିଗଲା ପଞ୍ଝାକୁ ଖୋଲି ।

ଥିଲା ସେ ଏକ ସୁନ୍ଦର କୋଳି,
ନେଲା ଆନନ୍ଦରେ ଥଣ୍ଟେ ସେ ତୋଳି ।

ନିର୍ଭୟେ ଖାଇଲା ବସି ସେ ପେଟେ,
ପୁଣି ଧରିନେଲା ଥଣ୍ଟରେ ଗୋଟେ ।

ଉଡ଼ି ଯାଇଥିଲା ସେ ତା’ର ବାଟେ,
ମଞ୍ଜି ପଡ଼ିଥିଲା ଭୁଇଁରେ ଗୋଟେ ।

କେଉଁଠି ପଡ଼ିଲା କେହି ନ ଯାଣେ,
ତା’ପରେ ବିଧାତା ବର୍ଷାକୁ ଆଣେ ।

ଅସରାଏ ବରଷି ଗଲା ସେ ଚାଲି,
ମଞ୍ଜି ଉଠୁଥିଲା ପତର ମେଲି ।

କାହାରି ନ ଥିଲା ତାହାକୁ ଲକ୍ଷ,
ସଭିଏଁ ଦେଖିଲେ ଆଜି ସେ ବୃକ୍ଷ ।

ବଢ଼ିଲା ପୁଣି ତା ଶାଖା ପ୍ରଶାଖା,
ସବୁ ପକ୍ଷୀଙ୍କର ତା ଡାଳେ ଦେଖା ।

ହୋଇଲା ଦିନେ ସେ ବିଶାଳକାୟ,
ଦେଲା ବାଟୋଇଙ୍କୁ ମୂଳେ ଆଶ୍ରୟ ।

ନକରେ କ୍ଷତି କାହାର ସେହି,
ସଭିଙ୍କୁ ଦିଅଇ ଶୀତଳ ଛାଇ ।

ଥିଲା ସେ ମଞ୍ଜିଟି ବହୁତ ଛୋଟ,
ଆଜି ବୋଲାଉଛି ସେ ବୃକ୍ଷ ବଟ ।

ଲୋକପ୍ରିୟ ଲେଖା

To Top