କାହିଁକି କେଜାଣି ବତୀଘର
କାନ୍ଦୁଥିଲା, ଲୁଚେଇ ଲୁଚେଇ
ଲୁହଗୁଡ଼ାକୁ ସମୁଦ୍ରରେ ଫିଙ୍ଗୁଥିଲା
କାହିଁ କେଉଦିନକଥା
ଦୂର ଦେଶର ଜାହାଜଟିଏ
ଦିନେ ଆସିଥିଲା ବତୀଘର
ପାଖରେ ଲଙ୍ଗର ପକାଇଥିଲା
ବେଶ୍ କିଛିଦିନର ସମ୍ପର୍କରେ
ସମୁଦ୍ରରେ ବି ଢେଉ ମାତିଥିଲା,
ବତୀଘରର ଖୁଣ୍ଟିରେ ଆକାଶର
ଜହର୍ବି ହସିଲା, ତାରାମାନେ ନାଚିଲେ
ତା’ ପାଇଁ ଦୁନିଆଟା ଖୁସିର
ସମୁଦ୍ର ପାଲଟିଗଲା ।
ତା ଖୁସିର ତାଳରେ ଜାହାଜଟା
ଅଚିହ୍ନା ରାଇଜର ପରୀଟିଏ ଭଳି
ନିଜ ନିଜ ଭାବରେ ତା’ ହାତଧରି ନାଚିଲା
ବତୀଘର କହେ ଏବେ ବି
କାନ୍ଦି କାନ୍ଦି ଖୁସିର ସମୁଦ୍ର
କେହି ନୁହେଁ ସେ ଦେଖିଥିଲା,
ତା’ ଦୁଃଖରେ, ସୁଖରେ ପରୀଟି ବି ତା ସହ ଥିଲା
ହଠାତ୍ ଦିନେ ସକାଳୁ
ଜାହାଜ ଘୋଷଣା କଲା
ତା ନିଜ ରାଇଜକୁ ଫେରିଯିବ
କହିଲା, ବତୀଘର ଆଉ
ଜାହାଜର ସମ୍ପର୍କକୁ ତା
ରାଇଜ ଲୋକ ସମର୍ଥନ ଦେବେନି
ଅସମ୍ଭବକୁ ସମ୍ପର୍କ କରିବାର
ଇଚ୍ଛା, ସାହସବି ତା’ ନ ଥିଲା
ସେ ଫେରିଗଲା ବତୀଘର ନିଜେ
ତା’ ଲଙ୍ଗର ଉଠାଇ ତା’ କୁ
ବିଦାୟ ଦେଲା ।
ବତୀଘର ଏବେବି କହେ
ସେ ଦିନର କଥା ସେ କାନ୍ଦିଥିଲା
ବହୁତ କାନ୍ଦିଥିଲା ତା’ ସହ କିନ୍ତୁ
ସମୁଦ୍ର, ଆକାଶ, ଜହର୍କି
କେହି କାନ୍ଦିଲେନି ।
ସେ ଏକୁଟିଆ ବତୀଘର
ଆଗଭଳି ହୋଇଗଲା,
ସେ କାନ୍ଦ ବନ୍ଦକରି ଜାହାଜକୁ
ଦେଖିଲା, ଜାହାଜ କିନ୍ତୁ
ବହୁଦୂରକୁ ଚାଲି ଯାଇଥିଲା ।
ଆଉ କେବେ ଆସିବନି କହି
ହାତ ହଲାଉଥିଲା ।
ବତୀଘର ଏବେବି କାନ୍ଦେ
କହେ ବତୀଘର
ଦୁଃଖରେ ଜାହାଜ ରହିଥିବା,
ସ୍ଥାନଟିକୁ ଦେଖେ,
ପୁଣି କାନ୍ଦେ, ଲୁହ ସବୁକୁ
ଲୁଚେଇ ସମୁଦ୍ରକୁ ଫିଙ୍ଗେ ।
ବତୀଘରର ଲୁହରେ ସମୁଦ୍ରର
ପାଣି ବି ଲୁଣିଆ ହୋଇଗଲା
ତଥାପି ବତୀଘର ସେମିତି ଆଗଭଳି
ଏକା ଏକା ହୋଇ ରହିଛି ।
ଜାହାଜର ସ୍ମୃତିକୁ ନେଇ
ତା’ ଆସିବା ପଥକୁ ଚାହିଁଛି ।
କାଳେ ଅନ୍ଧାରରେ ଆସିବ
ତାର ପ୍ରିୟ ଜାହାଜ ସେଥିପାଇଁ
ସବୁଦିନ ରାତିରେ ରାସ୍ତାକୁ
ଆଲୁଅ ଦେଖାଇ ଅପେକ୍ଷା କରେ ।
ଏବେବି ବତୀଘର କାନ୍ଦେ ରାତିରେ
ଆଲୁଅ ଜାଳି ଉଜାଗର ରହେ ।