ଭାଷାର ଭରସାରେ
ଚହଲୁ ଥାଏ ଭାରସାମ୍ୟ
ଭାର ଏ ଭୁବନର ।
ଗାରର ଗରିଷ୍ଠ ଗାରିମାରେ
ଗରୀୟାନ୍ ଏ ମାଟି
ଏ ମୋହ ମମତା
ମୋହର ମହାନତାରେ
ମାର୍ମିକ ମଣିଷର ମନ ମିଜାଜ
ବିବିଧ, ବିଚ୍ଛିନ୍ନତା, ବିବିଧାୟନରେ
ବାରିହୁଏ ବାହସ୍ପଟ ବରିଷ୍ଠ ବିଶ୍ୱାସ ।
ଭାଷାର ଏ ଲକ୍ଷ୍ମଣରେଖାରେ
ଲେଖା ହେଇଚି, ହୁସିଆର ମଣିଷ !
ଭାଷା ଅନେକ
ତୁମେ ଏକ !
ଭାଷାର ଭାରରେ ଫାଟିଯାଉଚି ମାଟି
ଗୁଳାଏ ମାଟି ତ ଗୋଟାଏ ଦେଶ
ଅନେକ ଭାଷା ଅନେକ ଛନ୍ଦ
ଅଶେଷ ଛଳନା ଆଗ୍ନେୟଗିରିର ଅଗ୍ନିଅସ୍ତ୍ର ।
ଭାଷାର ବିଚ୍ଛିନ୍ନତାରେ
ଭାଙ୍ଗିଯାଏ ଭାଇଚାରା, ଛାଇଯାଏ ଛଳନା
ହଁ ! ଭାଷାର ଅନ୍ୟନାମ ଛଳନା
ଲୁଚେଇ ରଖିବାର ଢାଲ
ସାପର ନିର୍ମୋକ, ଅନ୍ଧାରର ଆଭାସ ।
ଆଖିର ଭାଷାରେ ନଥାଏ ଶବ୍ଦ
ନଥାଏ ଲଳିତ ବାକ୍ୟ
ପଢ଼ିବାକୁ ଲୋଡ଼ା ନଥାଏ ଶବ୍ଦର ସାଏରୀ
ଜାତିର ଡାଏରୀ କି
ଦେଶର ଦର୍ଶନ
କ’ଣ ହୁଅନ୍ତା ଯେବେ
ସବୁ ମଣିଷର ଭାଷା ହୁଅନ୍ତା ଏକ ।
ପଶୁ ପରି, ପକ୍ଷୀ ପରି କଥା ହୁଅନ୍ତେ
ଆଖିର ଭାଷାରେ କି ଚଞ୍ଚୁର ଗୀତରେ
ତେବେ କ’ଣ ହୁଅନ୍ତା ?