ବରଦାସ୍ତ କରି ହୁଏ ନାହିଁ ବୋଲି
ଅନେକ ଯନ୍ତ୍ରଣା ମୋ ଆଗେ
ଉଙ୍କି ମାରୁଥାନ୍ତି ;
ମୋ ପରାଣ , ଆତ୍ମାର ଅନ୍ତରେ
ସଦା ଲହରୀ ଭାଙ୍ଗୁଥାନ୍ତି ।
ଦେଖୁ ଦେଖୁ ମୋ ଚତୁଃପାର୍ଶ୍ୱେ
ଯେତେ ଅନୀତି, ଅନ୍ୟାୟ ଘଟିଯାଏ
ମୁଁ ନିର୍ବାକ, ନିଶ୍ଚଳ ହୋଇ ଦେଖୁଥାଏ
କିଛି କରି ଯେ ନ ପାରେ ।
କାହିଁକି ଭଗ୍ନ ଆଜି ଏ ସମାଜର
ରୀତି, ନୀତି; ବିଲୁପ୍ତ ତା’ର ମହତ୍ୱ
ସଂଗ୍ରାମୀତ ପୃଥିବୀରେ
କିଏ ବୁଝୁଛି ଏ ଭିତ୍ତିର ତତ୍ତ୍ୱ ?
ଶକ୍ତିହୀନ, ଆଜି ପ୍ରେତ୍ୟେକ ମଣିଷ
ଅବନ୍ନତି ସମାଜର ପ୍ରତିଟି କ୍ଷେତ୍ରରେ
କ’ଣ ପାଇଁ ଧାଉଁଛି ମଣିଷ
କି ଆନନ୍ଦ ଅଛି ଏଆଇ ବଞ୍ଚିବାରେ …।
ଆକାଶ ଦିଶୁନି ନୀଳ
ଗଛ ଆଉ ସବୁଜ ଦିଶୁନି
ପାଣି ବି ପାଲଟି ଗଲାଣି ପଥର ଏଇଠି
ମୋତେ ଯାହା ବିଶ୍ୱାସ ହେଉନି ।
କିଏ ଯେ କରୁଛି ଦୋଷ
ଆଉ କିଏ ନିର୍ବାକ ବନୁଛି
ଯିଏ ବିଷ ପିଆଇ ମାରୁଛି
ସେଇ ପୁଣି ଲୁହ ଝରାଉଛି ।
ଏ ଓଲଟପାଲଟ ବିଶ୍ୱରେ
ହତବିମ୍ବ ହୋଇଯାଏ ସୂକ୍ଷ୍ମ ଆତ୍ମାଟିଏ
ହାତପରେ ହାତ ରଖି ଭାବି ଭାବି
ପୁଣି କିଏ ନୀରବରେ ଶୁଏ ।
ବିଶ୍ୱାସ କରି ହୁଏ ନାହିଁ ଆଜି
ଏଇ ମୋ ଦେଶର ସ୍ଥିତିକୁ
କେତେ କଳ୍ପନା ମୋର ଦେଖିବାକୁ
ୟା’ର ଏକ ସୁନ୍ଦର ରାତିକୁ ।
ଆସ ସରବେ ମିଳି
ତିଆରି କରିବା ଏକ ସୁନ୍ଦର ଭାରତ
ଯେଉଁଠି ତୁମେ ମୁଁ ଆଉ ଯେତେ
ହସୁଥିବେ ମିଳାଇ ହାତକୁ ହାତ…।