ତେତ୍ରିଶ କୋଟି ଦେବା ଦେବୀଙ୍କ ପରେ
ଏଠି ସୂର୍ଯ୍ୟଙ୍କୁ ପ୍ରଣାମ କର,
ଚନ୍ଦ୍ରଙ୍କୁ ବି ନବ ଗ୍ରହ ଆଉ
ସମସ୍ତ ନକ୍ଷତ୍ର ମଣ୍ଡଳୀ ଙ୍କୁ
ବ୍ରହ୍ମାଣ୍ଡରେ ଥିବା ସମସ୍ତ
ତାରା ମାନଙ୍କୁ ବି ।।
ମୁଣ୍ଡିଆ ମରାରେ, ମୁଣ୍ଡରେ ସିନା
ଚନ୍ଦା ଉଠିଗଲା
ହେଲେ ଉଠିଲାନି
ଦୁଃଖ ମାନଙ୍କର
ଶବ ଶୋଭାଯାତ୍ରା ।।
ଦୁଃଖ ମାନେ ସତେ ଅବା
ମୃତ୍ୟୁଞ୍ଜୟୀର ବର ପାଇଛନ୍ତି ।
ସଂସାରର ବୈତରଣୀ
ପାର କରିବାକୁ
ଦୁଃଖର ଡଙ୍ଗା ଏକମାତ୍ର ଭରଷା ।
ଏଇ ଡଙ୍ଗାଟି ମଣିଷ
ବଡ ଜତନରେ ଗଢେ ।
ସୁଖ ପାଇବାର ଇଚ୍ଛାର
ପଟା ମାନଙ୍କୁ ଆଶାର କଣ୍ଟାରେ ଜୋଡି
କେତେ ଜତନରେ ତିଆରି କରେ ।।
ଆଉ ଜୀବନ ସାରା
ସେଇ ଡଙ୍ଗାରେ ବସି
ସଂସାର ବୈତରଣୀର
ଅଥଳ ପାଣିରେ ନଉକା
ମେଲେଇ ଦିଏ ।
ଏ ଡଙ୍ଗାରୁ ଓହ୍ଲେଇବାକୁ
ଚେଷ୍ଟା କରିବନି ବନ୍ଧୁ
ଅକାତ କାତ ପାଣି ଏଠି
ଉବୁ ଟୁବୁ ହେବ ସିନା
ଆନ ଡଙ୍ଗା ପାଇବନି ।
ଏ ଡଙ୍ଗାଟି ତୁମର ହାତର ତିଆରି
ତୁମରି ସୃଷ୍ଟି ଭସ୍ମାସୁର ପରି
ଅନବରତ ତୁମର ଆଗେ ପଛେ ଥିବ ।
ତୁମେ ଦୁର୍ବଳ ପଡିଗଲେ ସତେ
ଜାଳି ପୋଡି ଦେବ ।।
ଏ ଡଙ୍ଗାଟି ସବୁଠାରୁ ଭଲ
ଗୁରୁଜନେ କହିଛନ୍ତି
ଯେ ପର୍ଯ୍ୟନ୍ତ ତୁମେ ଏ ଡଙ୍ଗାରେ ବସିଥିବ
ସିଏ ଏକା ଜଗବନ୍ଧୁ ମନେ ପଡୁଥିବ ।।