କବିତା

ଭିନ୍ନ ଏକ ଶୈଶବ

Binay Mohapatra's odia poem Bhinna Eka Shaishaba

କେଇ ମୁଠା ସୁଖିଲା ଭାତ ଆଉ
ଚିମୁଟାଏ ଲୁଣ ଯେ ଯଥେଷ୍ଟ,
ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା,
ମୋର ଏଇ ଭୋକିଲା ପେଟ ପାଇଁ ।

ଭିନ୍ନ ଏକ ଶୈଶବ

ଭୋକିଲା ପେଟର ବୋଝ,
ପିଠିରେ ବୋହି ମୁଁ
ଖୋଜି ବୁଲେ,
ମୋ ଭାଗର ଭାତମୁଠାକ,
ତୁମେ ଫିଙ୍ଗି ଦେଇଥିବା
ଏଇ ଅବର୍ଜନା ଅଳିଆ ଗଦାରୁ ।
ଖୋଜି ବୁଲେ ଗୋଟି ଗୋଟି
ପଲିଥିନ ଆଉ ଖାଲିଦାରୁର ବୋତଲ
ବଡ ଆଶାରେ ସାଉଣ୍ଟେ
କାଳେ କିଛି ମିଳିଯିବ,
ତୁମ ପିଙ୍ଗା ଅଳିଆ ଗଦାରୁୁ,
ମୋ ପାଇଁ ଟଙ୍କେ ଦି ଟଙ୍କାର
ହୀରା, ନିଳା ଅବା ମୋତି ।
ସେଇ ହେବ ଆହାର ମୋହର,
ପୁରା ପେଟ ନ ହେଲେ ନାହିଁ,
କେହି ତ କହିବନି
ମୁଁ ଖାଲି ପେଟ ଶୋଇଗଲି ବୋଲି !

ମୁଁ ତ ମାଗିନି କେବେ
ଚଉକି ଟେବୁଲରେ ବସି
ଖୀରି ପୁରି ପିଜ୍ଜା ବର୍ଗର ଅବା
ପେଟପୁରା ସ୍ୱାଦିଷ୍ଟ ଭୋଜନ ।
କେଇ ମୁଠା ସୁଖିଲା ଭାତ ଆଉ
ଚିମୁଟାଏ ଲୁଣ ଯେ ଯଥେଷ୍ଟ,
ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା,
ମୋର ଏଇ ଭୋକିଲା ପେଟ ପାଇଁ ।

ମୁଁ ତ ଚାହିଁନି କେବେ,
ଉଚ୍ଚା ଉଚ୍ଚା କୋଠାରେ
ତୁଳିତଳ୍ପ ଶେଜରେ
ରେଷମୀ ଚାଦର ତଳେ
ନିଘୋଡ ନିଦର ରାତି ।
ବର୍ଷାରେ ଭିଜେ ଯେବେ
ଗହୀରିଆ ରାତି ଅନ୍ଧାରରେ
ନିଦ ବି ବାଟ ବଣା ହୋଇଯାଏ,
ସଡକ ଫୁଟପାଥ କଡରେ ।
ହାଡ ଭଙ୍ଗା ଶିତରେ
ନିଦ ବି ଡରିଯାଏ
ମୋ ସାଥେ ଶୋଇବାକୁ
ଆଉ ଲୁଚି ଲୁଚି ବାଟ ଭାଙ୍ଗି ଚାଲିଯାଏ ।
ମୁଣ୍ଡ ଉପରେ ଚାଳି ଖଣ୍ଡେ,
ଦି ଖଣ୍ଡ ଅଖା ତ ଯଥେଷ୍ଟ ହେବ
ମୋର ଗହନ ନିଦ ପାଇଁ ।

ବଡ ବଡ ସ୍କୁଲ କଲେଜର
ଡିଗ୍ରୀ ମୁଁ ଚାହିଁ ନାହିଁ କେବେ, ହେଲେ
ମନ ମୋର ଡହଳ ବିକଳ ହୁଏ
ଜାଣିବାକୁ ଦେଶ ଦୁନିଆର କଥା ।
ହାତ ଧରି କେହି ତ
ଶିଖାଇ ଦିଅନ୍ତା ମୋତେ,
ଅ ଆ ଇ ଈ ଆଉ,
ଅଣଚାଳିଶ ଅକ୍ଷର ।
ଜାଣେ ନାହିଁ କେଉଁ ପାପ
ଅବା ପୂଣ୍ୟ ଫଳ,
ତୁମକୁ ଆଉ ମୋତେ
ଏତେ ଅଲଗା ଗଢିଛି,
ତୁମକୁ ନ ମାଗି ମିଳୁଛି ଏତେ,
ଆଉ ଏଠି
ମୋତେ ମାଗିବାକୁ ସରମ ଲାଗୁଛି ।
ଖଣ୍ଡେ ପିନ୍ଧି, ଗଣ୍ଡେ ଖାଇ
ଦି’ଘଡି ଶାନ୍ତିରେ ଶୋଇବା,
ଏତିକି ତ ଅଧିକାର,
ଅଛି କିବା ନାହିଁ କୁହ ତ ମୋର ?

ଲୋକପ୍ରିୟ ଲେଖା

To Top