କବିତା

ଭିଟାମାଟି

Bhitamati an odia poem by Surendra Kumar Behera

ମୋ ଭିଟାମାଟିର …
ବୁନିଆଦି ପରେ କାହିଁ ?
କେବେଠାରୁ ବସା ବାନ୍ଧି
ରହିଅଛି ଦୀନ ଦରିଦ୍ର-ୠତୁ !

ଭିଟାମାଟି

ମୋ ଭିଟାମାଟିର …
ବୁନିଆଦି ପରେ କାହିଁ ?
କେବେଠାରୁ ବସା ବାନ୍ଧି
ରହିଅଛି ଦୀନ ଦରିଦ୍ର-ୠତୁ !

ଝାଟିମାଟିର ମୋ ଝୁମ୍ପୁଡ଼ି ବସ୍ତିରେ
ଯେବେ ଭୋକର ମୌସୁମି
ବୋହିଥାଏ ବଢ଼ିଯାଏ
ତା’ର ଛାତିର ତାତି ।
ଦରିଦ୍ରତାର ଲୁହରେ
ଲହୁ ଢାଳି ଲିଭାଇବାକୁ ହୁଏ
ପେଟରେ ଡହ ଡହ ଜଳୁଥିବା
ଭୋକର ଲେଲିହାନ ଅଗ୍ନିଶିଖା !

ଅନାହାର, ଅର୍ଦ୍ଧାହାର, ଅଭାବ
ଆଉ ଅନଟନର ଶାଣରେ
ହାଡ଼କୁ ଦାଢ଼କରି
ପାହାଡ଼ରୁ ପଥର କାଟିବାକୁ ହୁଏ
ଦୁଃଖ ଦୈନ୍ୟର ପ୍ରସ୍ତରିତ ଶିଳାରେ
ଦାନ୍ତକୁ ପଜାଇ, ନାକକୁ ଘଷାଇ
ଖଣି ଖାଦାନରୁ ତାଡ଼ିବାକୁ ହୁଏ
ଲୁହା, କୋଇଲା, କ୍ରୋମାଇଟ
ସୁନା ଏବଂ ଏଲୁମିନା ।

ବାରବାର ବିସ୍ଥାପିତ ହେବାର
ନାଲି ହୁକୁମତିରେ
ଭିଟାମାଟି ଛାଡି ପରମାଟିରେ
ଦାଦନ ଖଟିବାକୁ ହୁଏ ,
ଇଟାଭାଟି ଗଢିବାକୁ ହୁଏ !

ବଞ୍ଚିବାର ମହୁଲି ନିଶାରେ
ଉବୁଟୁବୁ ହୋଇ
ଧୂ ଧୂ ଖରା, ଓଠଥରା କାଲୁଆ ଶୀତ
ଆଉ ନିର୍ଦୟ ନିଦାଘ ବର୍ଷାକୁ
ବେଖାତିର କରି ଗଢିବାକୁ ସିନା
ଏ ଦେଶର ବଡ଼ଦାଣ୍ଡେ
ପ୍ରଗତିର ନନ୍ଦିଘୋଷ ରଥ;
କିନ୍ତୁ ଥମେ ନାହିଁ
କି କମେ ନାହିଁ ,
ଏ ଭିଟାମାଟିରୁ …
ଦୀନ ଦରିଦ୍ର-ୠତୁର ତାତି !!

ଲୋକପ୍ରିୟ ଲେଖା

To Top