କବିତା

ଭୋକ

Bidhan Chandra Swain's odia poem Bhoka

ତାକୁ ଜାଳିବା ପରିବର୍ତ୍ତେ
ନିଜେ ଜଳିଜଳି ଶେଷ ହୋଇଯିବାକୁ
ଶ୍ରେୟ ମଣିଲି ।

ଭୋକ

କ୍ଷୁଦାର୍ତ୍ତ ବାଘ ଭଳି
ହେଣ୍ଟାଳ ଛାଡୁଥାଏ
ମୋ ଭିତରର ଭୋକ ।

ମେଞ୍ଚା ମେଞ୍ଚା କାମନା ସବୁ
ହାଇ ମାରୁଥିଲେ,
ଅଳସ ଭାଙ୍ଗୁଥିଲେ
ଲହଲହ ଜିଭରେ
ଚାଟି ଚୁଟି ହେଉଥିଲେ
ମୋ ମନ ଅରଣ୍ୟରେ ।

କେଜାଣି କାହିଁକି
ଦିନେ ହରିଣୀଟିଏ
ପଶି ଆସିଲା ।, ମୋ ଖୁଆଡ଼ ଆଡ଼କୁ ।
ସେ ଏତେ ସୁନ୍ଦର, ଗୁଲୁଗୁଲିଆ ଥିଲା ଯେ
ନା ତାକୁ ମାରି ପାରିଲା,
ନା ତା’ ସହ କିଛି ବଦମାସୀ କଲି
ତାକୁ ଖାଲି ଦେଖି ଦେଖି
ଭୋକ ମୋର ଭୁଲିଗଲି ।

ତାକୁ ଜାଳିବା ପରିବର୍ତ୍ତେ
ନିଜେ ଜଳିଜଳି ଶେଷ ହୋଇଯିବାକୁ
ଶ୍ରେୟ ମଣିଲି ।

ସେ ହରିଣୀ ଆଖିରେ ଏତେ ସରଳତା ଯେ
ମତେ ତରଳ କରିଦେଲା,
ବହିଗଲି, ଭୁଲିଗଲି
କିଛି ନ ପାଇବାର ଗ୍ଲାନି ବି
ମତେ ଛୁଉଁ ନଥିଲା ।

ଜଳିବାରେ ଯେ ଏତେ ଆନନ୍ଦ ଥାଏ
ସିଏ ମତେ ଶିଖାଇ ଦେଲା ।

ତା’ର ସମର୍ପଣ ମୁଦ୍ରା
ମତେ ସମର୍ପିତ କରିଦେଲା
ତା’ ପାଖରେ ସବୁଦିନ ପାଇଁ ।

ଲୋକପ୍ରିୟ ଲେଖା

To Top