କବିତା

ବୀରାଙ୍ଗନା

ଓଠରେ ସ୍ମିତହାସ୍ୟ,
ଅନ୍ତରର ହାହାକାର,
ନୀରବ ନିସ୍ତବ୍ଧ ।
ଭିତରେ ବଇଶାଖୀ ଝଡ
ଗଳା କିନ୍ତୁ ରୁଦ୍ଧ, ଶବ୍ଦ ବିନା ।

ବୀରାଙ୍ଗନା

ଆଖିରେ ବୀରାଙ୍ଗନାର
କୃତ୍ରିମ ପ୍ରଲେପ,
ଜାକଜକ ଲୁହ,
ଏପଟ ଏରୁଣ୍ଡି ଡେଇଁବା ମନା ।

ଓଠରେ ସ୍ମିତହାସ୍ୟ,
ଅନ୍ତରର ହାହାକାର,
ନୀରବ ନିସ୍ତବ୍ଧ ।
ଭିତରେ ବଇଶାଖୀ ଝଡ
ଗଳା କିନ୍ତୁ ରୁଦ୍ଧ, ଶବ୍ଦ ବିନା ।

ଛାତି ଭିତରେ ଭର୍ତ୍ତି
ଅନେକ ଆଶଙ୍କା,
କ୍ଷତାକ୍ତ ଅତୀତର ସ୍ମୃତି
ଲହୂ ଲୁହାଣ ଓ ରକ୍ତାକ୍ତ ।

ବୀରଦର୍ପରେ ଅଶୋକଚକ୍ର
ସମ୍ମାନର ସୋପାନରେ ଆଜି
ପ୍ରତି ପାଦଥାପରେ ଦବିଯାଏ
ଉଦବେଗର ପ୍ରତିଟି ମୂହୁର୍ତ୍ତ ।
ଗର୍ବର ସିଡି, ଏ ନୁହେଁ,
ଭୁଲିବାର ପ୍ରଥମ ପାହାଚ ।
ହାତରେ ଧରି ସମ୍ମାନର ଫଳକ
କେଇ ଖଣ୍ଡ କାଗଜ ଓ
କେଇ ମୁହୂର୍ତ୍ତ ବଳିଦାନର ଗୌରବ ।

ତା’ ତଳେ କିନ୍ତୁ ଦବିଯାଏ
ବୀରାଙ୍ଗନା ସ୍ତ୍ରୀର ଆଗାମୀ ଜୀବନର
ସମସ୍ତ ସଂଭାବିତ ଦୁଃଖ ।
ଡାକବାଜି ଯନ୍ତ୍ରର ଗୌରବ ଗାନ
ପରେ, ମାଡ଼ି ଆସୁଥିବା
ଅସୁମାରି କୃଷ୍ଣପକ୍ଷ ।

ଏମିତିକି ପର ହୁଏ ,
ଚିରସାଥୀ ଅଶ୍ରୁ
ଯଦି ବା ସାଥୀ ସେ
ତାର ପ୍ରତି ମୂହୁର୍ତ୍ତର,
ସମାଜ ଆଖିରେ ପର କରି
ପର କରି ଚଳିବାକୁ ପଡେ ତାକୁ ।

କାରଣ, ତା ଦେହରେ
ଲାଗିଛି ମୋହର ବୀରାଙ୍ଗନାର
ସେ ନୁହଁ ଆମ-ତୁମ ଭଳି
ସାଧାରଣ ସ୍ତ୍ରୀ, ସେ ଯେ
ସ୍ତ୍ରୀ ଏକ ଶହିଦ ସୈନିକର ।

(ଏ କବିତା ଟି ବୀରାଙ୍ଗନା ଯୁଦ୍ଧ-ବିଧବା ମାନଙ୍କୁ ଉତ୍ସର୍ଗୀକୃତ ।)

ଲୋକପ୍ରିୟ ଲେଖା

To Top