କବିତା

ବିଶ୍ୱାସ କର !

Matrudatta Mohanty's odia poem Biswaas Kara

ତୁମ ହୃଦୟକୁ ମାଗିଥିଲି ଜାଣିଚାଏ,
କହିଥିଲି ଓଜାଡ଼ି ଦେବାକୁ
ତୁମ ପୁରା ହୃଦୟଟାକୁ
ବିନା ସର୍ତ୍ତରେ ।

ବିଶ୍ୱାସ କର !

ମୁଁ ତୁମକୁ ବିଶ୍ୱାସ କରିଛି
ବିଶ୍ୱାସ କରିବା ଶେଷ ସୀମା ଯାଏ,
ଦେଖାଇଛି ମୋ ହୃଦୟକୁ ଖୋଲି
ହୃଦୟ ଖୋଲିବାର ଅନ୍ତିମ ପର୍ଯ୍ୟାୟ ଯାଏ ।

ତୁମ ହୃଦୟକୁ ମାଗିଥିଲି ଜାଣିଚାଏ,
କହିଥିଲି ଓଜାଡ଼ି ଦେବାକୁ
ତୁମ ପୁରା ହୃଦୟଟାକୁ
ବିନା ସର୍ତ୍ତରେ ।

କଥା ଦେଇଥିଲି ତୁମ ଦେହକୁ
ମୁଁ ଥରେ ବି ଛୁଇଁବିନି,
ତୁମେ କିନ୍ତୁ ତୁମ ପ୍ରେମ ଦେବ
ମୋତେ ମାତ୍ର ଆଞ୍ଜୁଳାଏ,
ସେଇଥିପାଇଁ
ମୁଁ ଚାହିଁଛି ଆଜି ଯାଏ ।

କେବେ ତୁମେ ଖୋଲି ଦେବ ମୋ ପାଇଁ
ତୁମ ହୃଦୟର ଦ୍ୱାର,
ତୁମେ କିନ୍ତୁ ଏ ଶେଷ ମୁହୂର୍ତ୍ତରେ
ମୋତେ ପଚାରୁଛ
ପ୍ରିୟ ତୁମେ ମୋତେ ବିଶ୍ୱାସକର !

ମୁଁ ବିଶ୍ୱାସର ଅନ୍ତିମ ପରୀକ୍ଷା
ଦେଇ ସାରିବା ପରେ
ସବୁ ସମ୍ପର୍କରେ
ପୂର୍ଣ୍ଣଚ୍ଛେଦ ପଡ଼ିଗଲା ପରେ
ଆଜି କାହିଁ ପ୍ରଶ୍ନ ଉଠେ
ବିଶ୍ୱାସ ଅବିଶ୍ୱାସର !

ଲୋକପ୍ରିୟ ଲେଖା

To Top