କବିତା

ବ୍ୟସ୍ତତା

Nirupama Swain's odia poem Byastataa

ଅଧାଗଢ଼ା ପଥର ମୂର୍ତ୍ତିକୁ
ଚାହିଁ ଆଖି ବେଳେବେଳେ
ବିବ୍ରତ ହୋଇଯାଏ
ନିମିଷକେ ଆଶାର ଝଲକ
ଲୁଚିଯାଏ, ଅନ୍ଧାରରେ ହଜିଯାଏ ।

ବ୍ୟସ୍ତତା

ଏ ଆଖି ବି ଅନେବାର
ଧୋକ୍କା ଖାଇଯାଏ. . .
ପ୍ରତିଟି ଛବିକୁ ଚିହ୍ନିବାକୁ
ଆଗ୍ରହ ସିନା
ଗୋଟିକରେ କିନ୍ତୁ ମନ ବୁଝିଯାଏ ।

ଅଧାଗଢ଼ା ପଥର ମୂର୍ତ୍ତିକୁ
ଚାହିଁ ଆଖି ବେଳେବେଳେ
ବିବ୍ରତ ହୋଇଯାଏ
ନିମିଷକେ ଆଶାର ଝଲକ
ଲୁଚିଯାଏ, ଅନ୍ଧାରରେ ହଜିଯାଏ ।

ଦୁନିଆଁର ତାଡ଼ନାରେ ଚମକି ଉଠେ
ଏଇ ଆତ୍ମା !
ହୃଦୟ ମୋ ଆର୍ତ୍ତନାଦ କରେ
ଅନ୍ଧାର ରାତିର ନିର୍ଜନତା ମଧ୍ୟେ
ଗୁମୁରି ଗୁମୁରି ବିଳପି ଉଠେ ।

ସଂଗ୍ରାମର କର୍କଶତା ମଧ୍ୟରେ
ଯେତେ ସ୍ୱପ୍ନ ମୋର ସବୁ
ଧୂସରିତ ହୁଏ
ଜୀବନ ପଥର ସେଇ ଦୁର୍ଗମତା ମଧ୍ୟେ
ମନ ମୋର
ଚେତନା ହରାଏ ।

ଜୀବନଟା ସତରେ ଏତେ
ଯନ୍ତ୍ରଣା ପୂର୍ଣ୍ଣ
ପ୍ରତିପାଦେ ରକ୍ତାକ୍ତ ହେବାକୁ ପଡ଼େ
ପ୍ରଥମ କ୍ଷତଟିର ଉପଶମ ନ ହେବା ଆଗରୁ
ଦ୍ୱିତୀୟର ଆବିର୍ଭାବ ହୁଏ ।

କେତେ ବ୍ୟସ୍ତତା ସୃଷ୍ଟି କରେ
ଏଇ ବିଷାଦର
ଘନଘୋର ଛାୟା
ନିର୍ବାକ୍ ନିଶ୍ଚଳ ମୁଁ ଯେ
ବେସାହାରା ମଣିଷଟିଏ,
ଘେରେ ମୋତେ ସମୟର ମାୟା !

ନିଜକୁ ନିଶେଷ କରିବା ଆଗରୁ
ଯେହେତୁ ମୁଁ
ସମୟକୁ ପରଖୁ ଥାଏ
ଏ ଜଟିଳତାର ନିବିଡ଼ତା ଭିତରୁ
ସେଇଥିପାଇଁ ତ ମୁଁ
ହଜୁହଜୁ ରହିଯାଏ ।

ପଶ୍ଚାତାପ, ଅଭିମାନ ଅବା ଅବଶୋଷ
ସବୁ ଯେମିତି ମୋତେ
ନିତି ବାନ୍ଧି ରଖେ,
ଲୁହର ଝରଣା ଭିତରେ
ଉବୁଟୁବୁ ହୋଇ
ମୁଁ ଦୁନିଆକୁ ଦେଖେ ।

ବଞ୍ଚିବାର ମୋହ ତୁଟିଯାଏ,
ଭୟ ଲାଗେ, ଏ ବାତାବରଣକୁ
ନିଶୂନତାର ନିଷ୍ଠୁରତା ଭିତରେ ବି ଏଇଠି
କଳୁଷତାର ଢେଉ
ଉଠି ଚେଷ୍ଟା କରେ ମୋତେ
ଡୁବାଇ ମାରିବାକୁ. . . !

ଲୋକପ୍ରିୟ ଲେଖା

To Top