କବିତା

ଚଣ୍ଡିଖୋଲ ଛକ

Dr Dilip Kumar Swain's odia poem Chandikhol Chhak

ମେଘରେ ମୁହଁ ମାଜୁଥିବା ପାହାଡ଼
ବୁଡ଼ନ୍ତା ସୂର୍ଯ୍ୟର ରଙ୍ଗ
ଅନ୍ୟମନସ୍କ କରେ ଯେଉଁଠି
ତା’ର ନାଁ ଚଣ୍ଡିଖୋଲ ଛକ
ଏଇଠି ମୋତେ ଓହ୍ଲେଇବାକୁ ହେବ ।

ଚଣ୍ଡିଖୋଲ ଛକ

ମେଘରେ ମୁହଁ ମାଜୁଥିବା ପାହାଡ଼
ବୁଡ଼ନ୍ତା ସୂର୍ଯ୍ୟର ରଙ୍ଗ
ଅନ୍ୟମନସ୍କ କରେ ଯେଉଁଠି
ତା’ର ନାଁ ଚଣ୍ଡିଖୋଲ ଛକ
ଏଇଠି ମୋତେ ଓହ୍ଲେଇବାକୁ ହେବ ।

ପଥରଗିଳା କ୍ରସରଙ୍କ ଆଁ ଭିତରେ
ମରିପଡ଼ିଚି ସବୁଜ କ୍ଷେତ
ପାହାଡ଼ର ଛାତି ଚିରି
ବୁହାଚାଲିଛି ଟ୍ରକ୍ ଟ୍ରକ୍ ରକ୍ତ ।
ଦିନଯାକର ନଡ଼ିଆ, କାକୁଡ଼ି ଖାଇ
ଚୂଆ ଚନ୍ଦନ ବୋଳି
ଝରଣାରୁ ପିଇ ଶୀତଳ ପାଣି
ସବୁଜ ପତ୍ରର ଶେଯରେ
ଶୋଇ ପଡ଼ିଲେଣି ପଥରଚଣ୍ଡୀ ।

କାକୁଡ଼ିର ପେଟ ଚିରି
ଲୁଣଲଙ୍କା ମଡେ଼ଇ
ବାଲେଶ୍ୱର ବସ୍ ଝର୍କାକଡ଼ରେ ଭିଡ଼ ଜମେ
ନଡ଼ିଆ କୋରା, ପେଡ଼ା ଦଉ ଦଉ
କିଶୋରୀର କାଣି ଆଙ୍ଗୁଠିରେ ହାତ ବାଜେ
ହସିଦିଏ ଝିଅ
ଧୂଆଁ ଛାଡ଼ି ଗଡ଼ିଯାଏ ବସ୍
ପ୍ରେମମୟ ପାଲଟେ ଚଣ୍ଡିଖୋଲ ଛକ ।

ବେଳେବେଳେ ଶେଷ ଗାଡ଼ି ଗଡ଼ିଯାଏ
ବିଦେଶରୁ ଫେରିବା ପୁଅ
ଅନ୍ଧାରବନ୍ଦୀ ହୁଏ ଏଇଠି ।
ପତ୍ନୀର ମୁହଁ ଦିଶେ ଛଳଛଳ
ଲଣ୍ଠନରୁ ତେଲ ସତେ
ବିଛଣାରେ ବିରହ ପହଁରେ
ଏଇଠି ରାତି ପାହେ
କାନ୍ଦ କାନ୍ଦ ଦିଶେ ଚଣ୍ଡିଖୋଲ ଛକ ।

ମହାବିନାୟକରୁ ମୁହଁ ଧୋଇ
ଏଠି ସକାଳ ଆସେ
ପଥର ବୋଝେଇ ଟ୍ରକ୍‌ଙ୍କ ଶୁଷୁରିରେ
ସଜ ହୁଏ ଚଣ୍ଡିଖୋଲ ଛକ ।

ବିରୂପାକୂଳରେ ବିରହର ବତୀ ଜଳେ
ନଈପାଣିରେ ଦିଶେ
ପ୍ରିୟ ମଣିଷର ପ୍ରତିବିମ୍ୱ ।

ଲୋକପ୍ରିୟ ଲେଖା

To Top