କବିତା

ଚଉତିଶା

Dibakar Sahoo's odia poem Chautishaa

ଘାଟିଆ ପରି ସେ କରୁଛି ଘଟ କର୍ମ ବିବାହ
ଘଟୁଅଛି ତା’ର ଇଙ୍ଗିତେ ଘଟଣାର ପ୍ରବାହ ।।

ଉଣା କରି ମାୟା ଜଞ୍ଜାଳ ଭଣ୍ଡି ଉନ୍ମୁକ୍ତ ଭାବ
ଉପାୟ ଖୋଜିଲେ ପାଇବୁ ଉର୍ଦ୍ଧ୍ୱେ ପରମ ଠାବ ।।

ଚଉତିଶା

କହୁଛି ଚୈତନ ମନରେ ସଦା ମୋ ବୋଲ କର
କଳୁଷେ ନ ହୋଇ କାରଣ ଧର୍ମ ସ୍ୱଭାବ ଧର ।।

ଖଇରାତ କର ଜୀବନେ ଖଳ ପ୍ରକୃତି ତେଜ
ଖଲାସ ହୋଇବୁ କ୍ଷିତିରୁ ଥରେ ପରମ ଭଜ ।।

ଗଢ଼ିଲା ଯେ ତୋର ଗାତ୍ରକୁ ଗୂଢେ ଯତନ କରି
ଗୁଇନ୍ଦା ଭାବରେ ଗୋପନେ ଜଗିଅଛି ସେ ତରି ।।

ଘାଟିଆ ପରି ସେ କରୁଛି ଘଟ କର୍ମ ବିବାହ
ଘଟୁଅଛି ତା’ର ଇଙ୍ଗିତେ ଘଟଣାର ପ୍ରବାହ ।।

ଉଣା କରି ମାୟା ଜଞ୍ଜାଳ ଭଣ୍ଡି ଉନ୍ମୁକ୍ତ ଭାବ
ଉପାୟ ଖୋଜିଲେ ପାଇବୁ ଉର୍ଦ୍ଧ୍ୱେ ପରମ ଠାବ ।।

ଚେତାଇ ଦେଉଛି ମନରେ ଥରେ ଜଳିବ ଚିତା
ଚପଳା ପରାଏ ଚମ୍ପଟ ହେବୁ କରୁନୁ ଚିନ୍ତା ।।

ଛଅ ଖଣ୍ଡି କାଠେ ଛନ୍ଦିବେ ଛକି ଛୁଇଁବେ ନାହିଁ
ଛତ୍ରଭଙ୍ଗ ଦେବେ ସ୍ଵଜନେ ସର୍ବେ ଶଉଚ ହୋଇ ।।

ଜଡିତ ହେଉଛୁ ଜଘନ୍ୟ କାର୍ଯ୍ୟେ ବୁଝୁନୁ ଜମା
ଜନ୍ମାନ୍ତରେ ତାହା ଭୋଗିବୁ ଯାହା କରୁଛୁ ଜମା ।।

ଝଟକୁ ଥାନ୍ତା ତୋ ସ୍ୱରୂପ ଝଡ଼ି ପଡିବା ଅନ୍ତେ
ଝରାନ୍ତେ ଦି’ ଟୋପା ଲୋତକ ଯଦି ଝୁରନ୍ତେ ତତେ ।।

ନୀତି-ନିଷ୍ଠ କାର୍ଯ୍ୟ କରିଲେ ନୀତି ନ ଥିବ ଭୟ
ନିଷ୍ପ୍ରଭ ହେବନି ନିଜର କଲେ ହୃଦୟ ଜୟ ।।

ଟଙ୍କା ପାଇଁ ଟାଳ କରିଲେ ରହିବନି ତୋ ଟେକ
ଟାଉଟର ଧନ୍ଦା ଧରିଲେ ଟଳି ପଡ଼ିବ ଭେକ ।।

ଠିକେ କହୁଅଛି ମନରେ ଠେକ ମାନବ ଧର୍ମ
ଠିକଣା ରଖିବୁ ଠଉର କଲେ ସଠିକ ମର୍ମ ।।

ଡେରି ନୁହେଁ ଡଙ୍ଗା ବୁଡ଼ିବ ହେବ ଯେବେ ଡକରା
ଡକାଡକି ହୋଇ ଡାକିନୀ ରୋଗ ହେବେ ଡଗରା ।।

ଢାଙ୍କି ଢୁଙ୍କି ତତେ ରଖିଛି ମନ ଢୋଲ ଭିତରେ
ଢଙ୍ଗଢାଙ୍ଗ ଢିଲା ହୋଇବ ଦିନେ ଭାବ ଚିତ୍ତରେ ।।

ନିଦାନ ନୋହିବ ନିର୍ଣ୍ଣୟ ଯେତେ କରିଲେ ବିଧି
ନିଅଣ୍ଟ ହୋଇବ ନିଜର ସବୁ ନିଦିଗ୍ନ ବିଧି ।।

ତାମସିକେ ତୋଷି ତାମସ ଅଛୁ ତନୁରେ ଧରି
ତୁମୁଳ ତିମିରେ ତିଷ୍ଠିବୁ ଅବା କହ କିପରି ।।

ଥିବ ତୋ ତାରୁଣ୍ୟ ନିୟତ ବୃଥା ପାଞ୍ଚିଛୁ ମନେ
ଥଇଥାନ କର ଏବେଠୁ ଧର୍ମ ଅରଜି କର୍ମେ ।।

ଦମ୍ଭ ଅଛି ଏବେ ଦେହ ତୋ ଦିନେ ହେବ ଦଦରା
ଦରାଣ୍ଡିବୁ ଦାଣ୍ଡ ଦୁଆର ଛାଡ଼ି ଘର ବଖରା ।।

ଧୈର୍ଯ୍ୟକୁ କରି ଧାରଣ ସଦା ବିପଦ ବେଳେ
ଧୃଷ୍ଟତାକୁ ଧ୍ୟାୟି କରିବ ତ୍ୟାଗ ସାଧୁଙ୍କ ମେଳେ ।।

ନର ଦେହ ଅଟେ ଦୁର୍ଲ୍ଲଭ ଏହି ମର୍ତ୍ତ୍ୟ ଭୁବନେ
ନିରଞ୍ଜନ ପାଦେ ନଭଜି ନିତ୍ୟ ମଜିଲୁ ଧନେ ।।

ପଚାରିବେ ନାହିଁ ପଦିଏ ପରିଣତର ବେଳେ
ପରବଶ ପରି ଚଳିବୁ ପରିଜନଙ୍କ ମେଳେ ।।

ଫନ୍ଦାପାଇଁ ଫାନ୍ଦ ଫାନ୍ଦିଛୁ କରି ଯେତେ ଫିକର
ଫେରିବା ପଥରେ ଫେଡ଼ଣ ହେବା ହୋଇବ ସାର ।।

ବାଲ୍ୟଭାବ ବେଳେ ଧରିବୁ ବାଟ ଆସିବ ସରି
ବପୁରେ ବୋଳିବୁ ବିକର ବାଲ୍ୟ ଶିଶୁଟି ପରି ।।

ଭୂଆଁ ହୋଇ ବୁଲୁ ଭରସା କରି ମାୟା କାମନା
ଭାଗ୍ୟ ଦୋଷ ଦେଉ ଚିତ୍ତରେ ଧରି ଭ୍ରଷ୍ଟ ଭାବନା ।।

ମନରେ ମୋ କଥା ମାନି ତୁ ଛାଡ଼ି ମାମୁଲି କଥା
ମଗରା ନ ହୋଇ ମନନ କଲେ ମେଣ୍ଟିବ ବ୍ୟଥା ।।

ଯଶସ୍ୱୀ ହୋଇବୁ ଯତନେ କଲେ ଯତା ସାଧନ
ଯଜନ ଯାଜନ ଯଥାର୍ଥେ କରି ଦିନ ଯାପନ ।।

ରସାତଳ ରଂଗ ମଞ୍ଚରେ ଥରେ ହୋଇ ନାୟକ
ରସାଣେ ରଞ୍ଜନ କରିଲେ ହେବୁ ତୃପ୍ତି ଦାୟକ ।।

ଲୟ ରଖି ପ୍ରଭୁ ପାଦରେ ସଦା ବହି ହରଷ
ଲକ୍ଷ ସ୍ଥିର କଲେ ଲଭିବ ପ୍ରତି କାର୍ଯ୍ୟେ ସରସ ।।

ବିଚରଣ କର ବିନୟ ଭାବ ହୃଦୟେ ବହି
ବେଳ ଥାଉ ତେଜି ଦିପଥ ବୃଥା କଷ୍ଟ ନ ସହି ।।

ଶ୍ରୀଗୁରୁ ଚରଣେ ଶରଣ ଶାନ୍ତ ଲଭିବ ଚିତ୍ତ
ଶାଶ୍ୱତ ଶକତି ଶିରରେ ଧର ହୋଇବ ହିତ ।।

ଷଡ଼ାୟତନର ସାମର୍ଥ୍ୟ ଯିବେ ଆଗରେ ଚାଲି
ଷଡ଼ ରିପୁ ଷଠ ଭାବରେ ସ୍ଥାନ କରିବେ ଖାଲି ।।

ସଂଗତେ ନେବାକୁ ସମ୍ବଳ ରହିବନି ସମୀପେ
ସଂସାରରୁ ଶେଷେ ସମ୍ପର୍କ ତୁଟାଇବୁ ସନ୍ତାପେ ।।

ହିଂସା ଉଡ଼ିଯିବା ଆଗରୁ ହିତ କାର୍ଯ୍ୟରେ ମନ
ହେଳା ନ କରିଣ ମଣିଥା ହରି ନାମକୁ ଧନ ।।

କ୍ଷଣେ ମାତ୍ର କ୍ଷମ ନୁହେଁ କେ ବିନା ଯାଉ ଇଙ୍ଗିତେ
କ୍ଷରିତ ହୁଏ ତା’ କ୍ଷମତା ଦିବାକର ସଂଗୀତେ ।।

ଲୋକପ୍ରିୟ ଲେଖା

To Top