କବିତା

ଛାଇ

Annapurna Mohanty's Odia Poem CHHAI
ଛାଇ

ତମେ ରହିବା ନ ରହିବାରେ
ଫରକ୍ ପଡ଼ିବନି
ଭଲ ପାଇବା, ଝୁରି ହେବାରେ
ଅସତ୍ୟ ଲାଗିଲେ ତୁମକୁ
ମୋ ପ୍ରେମ ଦୁର୍ବଳ
ଧରିନେବ ତମ ସମ୍ପର୍କରେ ।

ରହିବନି ପାଖେ ପାଖେ
ଠିକ୍ ଅଛି,
କାଢ଼ିନିଅ, ଜୀବନ ଗୋଟାକ ସ୍ମୃତି
ଆଖିର ଆୟୁଷ ହୋଇ
ସ୍ୱପ୍ନରେ ଅଛି ଯାହା
ତାକୁ କ’ଣ କାଢ଼ି ପାରିଛ କି ?
ଶରୀର ଯିବ ଦୂରେ, ଜାଣିଛି ମୁଁ
ମୁଁ କଣ ସବୁଦିନ ରହିଥିବି
ଦେହ ଠୁଁ ଅଲଗା ହୋଇ,
ତମ ଦେହ ମୋ ଦେହର
ଫରକ କେଉଁଠି ?
ଆଉ ତ ସବୁଥିବ ଅବିକଳ
ତାକୁ କିଏ ମୋ’ଠାରୁ
ପାରିବ ଛଡେ଼ଇ ?
ତମେ ଆଗ ଗଲେ, ପଛେ ପଛେ ଯିବି
କାଲି ନଥିବ କାହା ପାଇଁ
ଥିବ କିଛି ଉଜାଗର ସ୍ମୃତି
ଜହ୍ନଭିଜା ତାତି
ରାଶି ରାଶି ଅପେକ୍ଷାର ଦୀର୍ଘଶ୍ୱାସ
ମହମହ ମହକା ପବନ
ସବୁଥିବ ପୂର୍ବଭଳି ।

ତମେ ନଥିବ ଭାବନାହିଁ
ଏସବୁ ମୁଁ ଭୋଗ କରୁଥିବି
ଦେହ ଗଲେ
ଛାଇ ରହିବ କେଉଁଠି
ଏ ଜ୍ଞାନ ନ ଥିଲେ ନଥାଉ ତମର
ମୋର ତ ଅଛି ! !

ଲୋକପ୍ରିୟ ଲେଖା

To Top