କବିତା

ଚିତ୍ରକର

Nrushingha Tarai's odia poem Chitrakara

ସକାଳର ଆଲବମ୍
ଫୁଲର ବଗିଚା
ଘାସର କାର୍ପେଟ ଉପରେ
ଗାଢ଼ ଅଳତାର ରଙ୍ଗ
ଭିଜାଭିଜା- ଏ କାର ପାଦଚିହ୍ନ ଆହା !

ଚିତ୍ରକର

ପ୍ରେୟସୀର ଛବି ଆଙ୍କୁଆଙ୍କୁ
କାଟି ଦେଲଇ ତା’ ଅଙ୍ଗ ପ୍ରତ୍ୟଙ୍ଗ
ଲମ୍ୱାଲମ୍ୱା କଳାକେଶ,
ଖଣ୍ଡାଧାର ନାକ
ରକ୍ତ ଅଜାଡ଼ି ପଡ଼ିଲା
ବୁନ୍ଦାବୁନ୍ଦା-ସଦ୍ୟ ତାଜା ଲାଲ ରକ୍ତ
ଭିଜିଗଲା ଚଟାଣ ଚତ୍ୱର ।

ସକାଳର ଆଲବମ୍
ଫୁଲର ବଗିଚା
ଘାସର କାର୍ପେଟ ଉପରେ
ଗାଢ଼ ଅଳତାର ରଙ୍ଗ
ଭିଜାଭିଜା- ଏ କାର ପାଦଚିହ୍ନ ଆହା !

ମନେହେଲା ନାଗୁଣି କି
ଘାଇଲା ବାଘୁଣୀ
ବିବର୍ଣ୍ଣ ଆକାଶ ତଳେ
ପ୍ରିୟାର ଓଢ଼ଣା,
ମନେ ହେଲା ମୃତ୍ୟୁର ପାପୁଲି ମୁଠାକୁ
ଧୋକ୍କା ଦେଇ ମୁଁ ଆସିଛି
ପଛରେ ଧାଉଁଚି ସେ ତ
ବାଲିରେ ବାଲିରେ
ପଡ଼ି ଉଠି କାଳର ଲହର
ପରସ୍ତ ପରସ୍ତ ଢେଉ
ସାମୁଦ୍ରିକ ସ୍ରୋତ ପରି
ଛୁଇଁବାକୁ ଚେତନା ଓ ବାଲିର ସହର ।

ସେ ସମୁଦ୍ର ସମୁଦ୍ର କି
ସେ ବାଲି ବାଲି ନୁହେଁ
ସେ ରକ୍ତ ମନର ବରଂ
ସେ ଛବି ସମୟ ଆଙ୍କିଚି ।

ପ୍ରେୟସୀର ଛବି କିମ୍ୱା
ରଙ୍ଗ ତୂଳିକୁ
ଥୁ ଥୁ ଫିଙ୍ଗି ଦେଲେ
ଘଉଡ଼େଇ ଦେଲେ
ଘଉଡ଼େଇ ଦେଲେ ରାତ୍ରି
ଦୁଃସ୍ୱପ୍ନ ସବୁକୁ ।

ସାତ ପ୍ରସ୍ତ ବାନ୍ଧି କିମ୍ୱା
ସାତ ସମୁଦ୍ର ସେପାରେ
ସେ ପୁଣି ଲେଉଟି ଆସେ
ସହସ୍ର ଉର୍ମିରେ
ଚକ୍ଷୁର ସାମ୍ନାକୁ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top