କବିତା

ଦଙ୍ଗା

Brundabana Das's odia poem Dangaa

ଦଳେ ବାହାରି ପଡ଼ନ୍ତି ହିଂସ୍ର ଉଦ୍ଧାମତାକୁ
ଆୟୁଧ କରି
ତାଙ୍କ ବୁଝିବାରେ କେଉଁ ରାଷ୍ଟ୍ର ହିତରେ
କେଉଁ ଈଶ୍ୱର କେଉଁ ଧର୍ମର ଆହ୍ୱାନ କାଳେ
ତାଙ୍କୁ ଟାଣିନିଏ ଲୁଟିବାକୁ

ଦଙ୍ଗା

କେମିତି ପଶିଯାଏ କିଏ ପୂରେଇଦିଏ ଭୂତ
ନୂଆଖାଲିଠୁଁ ଗୋଧ୍ରା, କନ୍ଧମାଳରୁ
ସହାରନ୍‌ପୁର ଯାଏଁ
ସ୍ତବ୍ଧ ସମୟର ଗୋଡିମାଟିକୁ ପଚାର
କେତେ ଲାଭ କେତେ କ୍ଷତି
କିଏ କାହିଁକି ଲଗେଇ ଦିଏ ନିଆଁ ବାରୁଦ ଗଦାରେ
କାହା ସ୍ୱାର୍ଥରେ ।

ଦଳେ ବାହାରି ପଡ଼ନ୍ତି ହିଂସ୍ର ଉଦ୍ଧାମତାକୁ
ଆୟୁଧ କରି
ତାଙ୍କ ବୁଝିବାରେ କେଉଁ ରାଷ୍ଟ୍ର ହିତରେ
କେଉଁ ଈଶ୍ୱର କେଉଁ ଧର୍ମର ଆହ୍ୱାନ କାଳେ
ତାଙ୍କୁ ଟାଣିନିଏ ଲୁଟିବାକୁ
କାହା କପୋତ ଆଖିର ସରଳ ନିରୀହତା
ଅପରାଧ କ’ଣ ବୁଝିବା ଆଗରୁ
ତା’ର ସ୍ୱପ୍ନର ଫସଲ ଉଜୁଡ଼େ
ଗଡ଼ିଯାଏ କାହା ମୁଣ୍ଡ ।

କେଉଁ ଲାଭରେ ଜଲ୍ଲାଦ ଦଳ
ଗଡ଼ ଜିଣିବାକୁ ଫ୍ଲାଗମାର୍ଚ୍ଚରେ ବାହାରି
ରଙ୍ଗେଇଦିଅନ୍ତି ରାସ୍ତାଘାଟ
ବାଦ୍‌ ପଡନ୍ତିନି ଧାର୍‌ ଧାରୁ ନ ଥିବା
ବୃଦ୍ଧ, ବୃଦ୍ଧା – ଶିଶୁ
ଆକୁଳ ଅସହାୟତା କୋମଳତା
ପୁଣି ମା’ର ମମତା
କେଉଁ ଦୋଷରେ ନିମିଷକରେ
ଜଳି ପାଉଁଶ ହୋଇଯାଏ ଭରସାର ଘରଦ୍ୱାର
ସହଜ ବିଶ୍ୱାସର ସବୁଜ ଡାଳପତ୍ର ।

କାହିଁକି ରହିବ ତେବେ ମସଜିଦ୍‌, ଗୀର୍ଜା, ମନ୍ଦିର …
ଏତେ ଉପାସନା ପୀଠ
ଏତେ ଈଶ୍ୱର ଏତେ ଠିକଣା ଥିବା ସତ୍ତ୍ୱେ ଯଦି
ଏତେ ଭେଦଭାବ ଏତେ ଆଙ୍କବାଡ଼
ଚିହ୍ନିଲେନି କେହି କାହାରିକୁ
କାହା ଦୋଷ ପାଇଁ ଦଣ୍ଡ ଭୋଗେ ଆଉ କିଏ
ତେବେ ଭାଙ୍ଗିଦିଅ ଏ ସବୁକୁ
ହଟେଇଦିଅ
ଅଫିମ ନିଶାର ସବୁ ଦୂର୍ଗ ପ୍ରାଚୀରକୁ ।

କାହାର ଏ ଫନ୍ଦି କେତେ କାଳ
ଯଦି ଆଦରୁଛ କୋଲେଇନିଅ ସବୁ ଆଦିମତା
ମୁହାଁଅ ଅନ୍ଧାରି ଜଙ୍ଗଲ ଆଡ଼େ
ଯଦି ନଚାହୁଁଚ ଖୋଲିଦିଅ ମୁଖା
ଛପି ବସିଥିବା ଅସଲ ଚେହେରା
ଖୋଲିଯିବ ଛଦ୍ମବେଶର ଖୋଳପା ତଳୁ ।

ଲୋକପ୍ରିୟ ଲେଖା

To Top