କବିତା

ଦେଖା ହେବାର ବେଳ

Surendra Kumar Behera's odia poem Dekha Hebara Bela

ହଁ, ଯୋଉ ଆଖି ସହ ମୋ ଆଖି
ମିଳନ ହବାର ଥିଲା, ସେ ଆଖି. . .
ଏ ଆଖି ନୁହେଁ, ଏ ଆଖିରେ ନାହିଁ

ଦେଖା ହେବାର ବେଳ

ରୌଦ୍ରଦଗ୍ଧ ବୈଶାଖରେ
ଅସହ୍ୟ ତାତିରେ ବି କାହିଁ !
ଦରମଲା ଥୁଣ୍ଟା ଗଛରେ କଅଁଳିଛି
ଗୋଟି ଗୋଟି ପତ୍ର. . .
ଗଜୁରିଛି କଢ଼, କଷି ଧରିଛି ଫଳ
ଆଉ ବହୁଅଛି, ତମ ଗାଁ ସେପାରିରୁ
ନାହିଁ ନ ଥିବା ମଳୟ ପବନ ।
ଫୁଲ ଫୁଟି ମହକି ଯାଉଛି ଚଉଦିଗ
କ’ଣ ତମ ସହିତ ମୋର ସତର ବର୍ଷ ପରେ
ଆଜି ଦେଖା ହେବାର ବେଳ ।

ହଁ, ଯୋଉ ଆଖି ସହ ମୋ ଆଖି
ମିଳନ ହବାର ଥିଲା, ସେ ଆଖି. . .
ଏ ଆଖି ନୁହେଁ, ଏ ଆଖିରେ ନାହିଁ
ଛଳଛଳ ଝରଣାର ଜଳ
ଛନଛନ ଇନ୍ଦ୍ରଧନୁର ରଙ୍ଗ
ଯେଉଁ ଆଖିର ଆଇନାରେ
ଦିନେ, ଦେଖୁଥିଲି ମୁଁ. . .
ଗାଁ ଦାଣ୍ଡ, ଧୂଳିଘର, ଗାଁ ଠାକୁରାଣୀ,
ବର ବଉଳଗଛ, ଆମ୍ୱତୋଟା, ତାଳତମାଳ ବଣ
ଆଉ ଫଗୁଣରେ ଫଗୁଖେଳ
ରଜରେ ରଜଦୋଳି ଖେଳ
ଆଉ ନାହିଁ, ନାହିଁ ସେ ଆଖିରେ
ତମର ପୂର୍ବର ସେ କଳା କଜ୍ଜ୍ୱଳ ଗାର ।।

କିଏ ଚୋରାଇ ନେଲା ଏ ସବୁ ?
ପଦୁଟିଏ କହିବାର ପତିଆରା
ଜୁଟୁ ନଥିଲା ତା’ର, ଝରୁଥିଲା ଖାଲି,
ଆଖିରୁ ତା’ର ଶ୍ରାବଣର
ଅବାରିତ ଧାରା,
ଆଉ ଧୋଇ ଦେଲା. . .
ମୋହମାୟାର ଯେତକ କଳଙ୍କ କାଳିମା ।
ଦେଖିପାରିଲି ମୁଁ ତା’ ଆଖିର
ନୀଳ ଆଇନାରେ, ପିଛିଲା ବର୍ଷର
ଯେତେସବୁ ଦୃଶ୍ୟପଟ ।
ମନେହେଲା, ମୋ ପ୍ରିୟା
ମୋ ପାଇଁ ବନିଯାଇଛି
ସବୁଦିନ ପାଇଁ ଏକ ସୁବର୍ଣ୍ଣ ପ୍ରତିମା ।।

ଲୋକପ୍ରିୟ ଲେଖା

To Top