କବିତା

ଦିଗନ୍ତ ର ବସନ୍ତ

Basudev Baral's odia poem Diganta ra Basanta

ଏବେ ଏକାନ୍ତରେ,
ଅଦିନେ ବଉଦୁ ବରଷା ଝରେ
ଦୁର୍ଲଭ ଲୋହିତ ତାଜା ଗୋଲାପୁ
କ୍ଷଣିକେ ମଧୁର ବାସ ଉତୁରେ ।।

ଦିଗନ୍ତ ର ବସନ୍ତ

ଏବେ ଏକାନ୍ତରେ,
ନୀଳ ସରୋବରୁ ପଦୁଅଁ ମରେ
ଶୁଭ୍ର ଶୁଭାସିତ ସ୍ୱର୍ଣ୍ଣ ସହରେ
ନିମିଷେ ସ୍ୱର୍ଣ୍ଣିମ ବୈଭବ ସରେ ।।
ଏବେ ଏକାନ୍ତରେ,
ଅଦିନେ ବଉଦୁ ବରଷା ଝରେ
ଦୁର୍ଲଭ ଲୋହିତ ତାଜା ଗୋଲାପୁ
କ୍ଷଣିକେ ମଧୁର ବାସ ଉତୁରେ ।।
ଏବେ ଏକାନ୍ତରେ,
କଣ୍ଟକିତ ବନ ପଥ ମଝିରେ
ଚାଲୁ ଚାଲୁ ଯେବେ ଥକି ପଡେ ମୁଁ
ସପନ ଭାଙ୍ଗଇ ଅଧା ନିଦରେ ।।
ଏବେ ଏକାନ୍ତରେ,
ଢେଉ ନ ଉଠଇ ପ୍ରୀତି ସାଗରେ
ରଜନୀ ଆକାଶେ ପୂର୍ଣ୍ଣମୀ ଇନ୍ଦୁ
କାନ୍ଦଇ ଅଧିରେ ପ୍ରେମ ଆତୁରେ ।।
ଏବେ ଏକାନ୍ତରେ,
ହାହାକାର ଉଠେ ହୃଦୟ ପୂରେ
ବିନା ମେଘ ପୁଣି ବିନା ଝଡରେ
ନାବ ନ ଲାଗଇ ସାଗର ତୀରେ ।।

ଏବେ ଏକାନ୍ତରେ,
ବିନା ଯୁଦ୍ଧେ ପଡେ ଚକ୍ରବ୍ୟୁହରେ
ଚାଲୁ ଚାଲୁ ପଥ ଜୀର୍ଣ୍ଣ ହୃଦୟେ
ପାଦ ଖସିଯାଏ ଚୋରାବାଲିରେ ।।
ଏବେ ଏକାନ୍ତରେ,
ଲିଭିଯାଏ ହସ ଦୁସ୍ଥ ଅଧରେ
ପ୍ରାଣହୀନ ସେହି ଦୂର ପ୍ରାନ୍ତରେ
ଜଳେ ଏ ଜୀବନ ତପ୍ତ ସମୀରେ ।।
ଏବେ ଏକାନ୍ତରେ,
ଲହୁ ଝରେ ଏ ରକ୍ତିମ ଆଖିରେ
କୋଳାହଳ ଭରା ହାଟ ମଝିରେ
ନ ଗୁଞ୍ଜରେ ଶବ୍ଦ କର୍ଣ୍ଣ କୋଟରେ ।।
ଏବେ ଏକାନ୍ତରେ,
ହଜିଯାଏ ପଥ ରାତ୍ରି ଅନ୍ଧାରେ
ଅଣ୍ଡାଳି ଏ ପଥ ଖୋଜିଲା ବେଳକୁ
ଜୀବ ଏ ନଥିଲା ଦୁର୍ବଳ କରେ ।।
ତୁମେ ଗଲାପରେ,
ଏବେ ଏକାନ୍ତରେ,
ଏବେ ଏକାନ୍ତରେ ।।

କବିତା ବିଷୟରେ ପଦେ

ଜୀବନର କ୍ଳାନ୍ତ ଅପରାହ୍ନ ରେ ବୃଦ୍ଧା ପତ୍ନୀ ଙ୍କୁ ହରାଇ ବିଚଳିତ ହୋଇପଡିଛନ୍ତି ହୃଷୀକେଶ । ଦୁର୍ବଳ ପଞ୍ଜରା ତଳେ ଶତାବ୍ଦୀ ର କୋହ କୁ ଲୁଚାଇ କରୁଛନ୍ତି ହସିବାର ନିର୍ଲଜ ଅଭିନୟ । ପୁରୁଷ ଆଖିରେ କାଳେ ଲୁହ ଶୋଭାପାଏନି ପରା । ସେଥିପାଇଁ ବୋଧେ ପଥର କାନ୍ଥର ପିଞ୍ଜରା ଭିତରେ କାଳକୂଟ ଅନ୍ଧକାର କୁ ସାହାକାରି ଶୁଷ୍କ ଆଖି ଦୁଇଟି କରୁଛନ୍ତି ନୀରବରେ ଶୀତଳ ତାଣ୍ଡବ । ସେଇ ଦୁର୍ବଳ ପଞ୍ଜରା ତଳର କୋହ କୁ ନୀଳ ସ୍ୟାହି ରେ ଆଙ୍କିବାର ଛୋଟ ପ୍ରୟାସ “ଦିଗନ୍ତ ର ବସନ୍ତ” ।

ଲୋକପ୍ରିୟ ଲେଖା

To Top