କବିତା

ଦିନ ଗଡିଗଲେ ଦୁନିଆଁ

Chandrabhanu Malik's Odia Poem DINA GADIGALE DUNIAAN

ଦିନଟା ଯାକର ଶ୍ରମ ପରେ
କ୍ଳାନ୍ତିକୁ ନିଦ ମାଉସୀର
କୋଳରେ ଶୁଆଇ ଶାନ୍ତିରେ
ନିଶ୍ୱାସ ନିଏ ମାନବ ଜଗତ,
ଘଣଘଣ ଗର୍ଜନେ ନିଶା ଗରଜି ଉଠି
ସର୍ବସ୍ୱ ଗ୍ରାସ କରେ
ଦୁନିଆଁକୁ ଶାନ୍ତ-ଶୀତଳ ବଳୟରେ
ବନ୍ଦୀ କରିଦିଏ. . . ।

ଦିନ ଗଡିଗଲେ ଦୁନିଆଁ

ଦିନର ବୟସ ଗଡ଼ି ଆସିଲେ
ଦୂର ଆକାଶର
ସିନ୍ଦୂରା ବଉଦ ତଳେ
ମୁଣ୍ଡ ଗୁଞ୍ଜି ଦିଅନ୍ତି ରବି,
କାଳିମାର ଚାଦର ତଳେ
ଲିଭିଯାଏ ଦୁନିଆଁର ଉଜ୍ଜ୍ୱଳତା
ଆରମ୍ଭିଯାଏ ରାତିର ନିର୍ଘଣ୍ଟ. . .

ସଞ୍ଜୁଆ ଆକାଶରେ ଲେଉଟାଣି
ପକ୍ଷୀଙ୍କର କଳରବ ଶୁଣାଯାଏ,
ଏଣେ ଅଗଣାରେ କୁନି କୁନି
ପିଲାଙ୍କର ଭିଡ଼ ଜମେ
ଆଈ ମା’ ଠାରୁ
ବୁଢ଼ୀ-ଅସୁରୁଣୀ ଗପ ଶୁଣିବାକୁ. . .

ଗ୍ରାମଦେବତୀଙ୍କର ଢାଉଁ ଢାଉଁ
ଘଣ୍ଟ ସ୍ୱରରେ
ନବବଧୂଟି ହାତରେ
ସଞ୍ଜବତୀ ଧରି
ତୁଳସୀ ଚଉଁରା ପୂଜେ,
ହାତେ ଓଢ଼ଣାର ପଛରେ ଥାଇ
ମନର ବ୍ୟଥାକୁ ଜଣାଏ. . .

ଦିନଟା ଯାକର ଶ୍ରମ ପରେ
କ୍ଳାନ୍ତିକୁ ନିଦ ମାଉସୀର
କୋଳରେ ଶୁଆଇ ଶାନ୍ତିରେ
ନିଶ୍ୱାସ ନିଏ ମାନବ ଜଗତ,
ଘଣଘଣ ଗର୍ଜନେ ନିଶା ଗରଜି ଉଠି
ସର୍ବସ୍ୱ ଗ୍ରାସ କରେ
ଦୁନିଆଁକୁ ଶାନ୍ତ-ଶୀତଳ ବଳୟରେ
ବନ୍ଦୀ କରିଦିଏ. . . ।

ଲୋକପ୍ରିୟ ଲେଖା

To Top