କବିତା

ଦ୍ରୋଣାଚାର୍ଯ୍ୟ ହେ ଜବାବ ଦିଅ ?

Ramakant Mishra's odia poem Dronacharjya Hey Jabaab Dia ?

ତୁମ ଲଗା ବୃକ୍ଷ ଆଜି ପଲ୍ଲବିତ ହୋଇ
ଯତ୍ର ତତ୍ର ସର୍ବତ୍ର ତାହାହିଁ କଲା
କୁହ ତୁମେ ଦ୍ରୋଣ କାହିଁକି ଏହାକଲ ?

ଦ୍ରୋଣାଚାର୍ଯ୍ୟ ହେ ଜବାବ ଦିଅ ?

ଦ୍ରୋଣାଚାର୍ଯ୍ୟ ହେ !
ଏ ତୁମେ କ’ଣ କଲ କୁହ ?
କ’ଣ କଲ ଜବାବ ଦିଅ ?
ଏକଲବ୍ୟର ବୃଦ୍ଧାଙ୍ଗୁଳି ନେଇ,
କି ଯଶ ତୁମେ ଲଭିଲ କୁହ ?
ଜବାବ ଦିଅ ?
ସେଇଯେ ତୁମେ ସୃଷ୍ଟି କଲ ପରମ୍ପରା
ଗୁରୁଙ୍କର ଦୁର୍ନାମର ବାଜୁଛି ଡେଙ୍ଗୁରା
ଆଚାର୍ଯ୍ୟ ପଦବୀର କି ଦଶା ହେଲା ?
ତୁମ ଲଗା ବୃକ୍ଷ ଆଜି ପଲ୍ଲବିତ ହୋଇ
ଯତ୍ର ତତ୍ର ସର୍ବତ୍ର ତାହାହିଁ କଲା
କୁହ ତୁମେ ଦ୍ରୋଣ କାହିଁକି ଏହାକଲ ?
ଗୁରୁନାମେ ଲଗାଇ କଳଙ୍କ
ପାଉଥିବ କି ଶାନ୍ତି ତୁମେ
କେଉଁଠାରେ କୁହ ?
ଜବାବ ଦିଅ ?

ଏବେ ବି ଗାଁ ଗହଳେ
ଜଙ୍ଗଲ ତାଳ ତମାଳେ
ଏକଲବ୍ୟର ଅଭାବ ନାହିଁ
ଦ୍ରୋଣାଚାର୍ଯ୍ୟ କିନ୍ତୁ ସବୁଠି ହାଜିର
ଦେଇ ନିଜ ଗୁରୁ ପଣର ନଜିର
କାଟି ନେଉଛନ୍ତି ବୃଦ୍ଧାଙ୍ଗୁଳି
ଦେଖାଇ ନିଜ ଗୁଣର ପରାକାଷ୍ଠା ।
ଯେଉଁ ଅର୍ଜୁନକୁ ତୁମେ ବଡ଼ କଲ
ଯାହାପାଇଁ ଏ ଦୁର୍ନାମ ଚିରକାଳ
ପାଇଁ ବହନ ତୁମେ କଲ
ପରିଣତି ତାର ଶେଷରେ ହେଲା କଣ ?
ତୁମରି ମୃତ୍ୟୁ ଶେଷେ ସେହି
ଅର୍ଜୁନଙ୍କ ହାତେ ।

ଦ୍ରୋଣ ତୁମେ ପାଇଥିଲ ଜ୍ଞାନ
ଦ୍ରୁପଦକୁ ଦେଇଥିଲ ସୁଜ୍ଞାନ ।
ପାଣ୍ଡଵ ଓ କୌରବଙ୍କର ଅସ୍ତ୍ର ଗୁରୁ
ହୋଇ ଲଭିଥିଲ ଯଶ ସମ୍ମାନ ।
ପିତାମହ ଭିଷ୍ମଙ୍କ ପରେ
ତୁମେ ଲଭିଥିଲ ସେ ସ୍ଥାନ ।
ଏତେ ସବୁ ମହାନ କର୍ମ କରି
କି ପାଇଁ ଲଭିଲ ଏ ଅପଯଶ କୁହ ?
ଏକଲବ୍ୟର ବୃଦ୍ଧାଙ୍ଗୁଳି ନେଇ କି ଯଶ
ତୁମେ ଲଭିଲ କୁହ ?
ଜବାବ ଦିଅ ?

ଚାହିଁଲନି ଥରେ ପଛକୁ ଫେରି
ତୁମେ କଣ’ ସତେ ଭରଦ୍ୱାଜ ପୁତ୍ର ?
ଭାସି ଯାଉଥିବା ଦ୍ରୋଣି ରୁ ଆଣି
ରଖି ନ ଥାନ୍ତେ ତୁମର ଜୀବନ
ତେବେ ଆଜି ତୁମର ଅସ୍ଥିତ୍ୱ କାହିଁ ଥାନ୍ତା ?
କାହାର ପୁତ୍ର ତୁମେ ?
କି ଭଳି ଘରେ, କାହାର ଘରେ, କେଉଁଠାରେ ???
ରଖିଚ କି କେବେ ତାର ଖୋଜ ଖବର ?
ଚାହିଁଲନି ହାଏ ପଛକୁ ଥରେ ଫେରି
ଏକଲବ୍ୟକୁ ଶବର ଭାବି
ଦୂରକୁ ଦେଲ ଆଡେଇ ।

କିନ୍ତୁ ଏକଲବ୍ୟ ତୁ ସତେ କେତେ ମହାନ ?
ଯେଉଁ ଗୁରୁ ତତେ ତଡ଼ିଦେଲେ ନ ଦେଇ ଶିକ୍ଷା
ତାଙ୍କୁ ତୁ ଗୁରୁ କରି ଶିଖିଲୁ ଶିକ୍ଷା
ନିଜ ସାଧନାର ବଳେ
ଶେଷେ ଦକ୍ଷିଣା ଦେଲୁ ନିଜ ବୃଦ୍ଧାଙ୍ଗୁଳି
ଗୁରୁ ଦକ୍ଷିଣାର ରଖିବାକୁ ପରାକାଷ୍ଠା ।

ଗୁରୁ ଦ୍ରୋଣାଚାର୍ୟ !
ଏଭଳି ଶିଷ୍ୟକୁ ନ୍ୟୁନ କରି
ରଖିଗଲ ତୁମେ ଯେଉଁ ଅପଯଶ
ଯୁଗ ବିତିଗଲେ ମଧ୍ୟ ଲିଭିବନି ତାହା
ଯୁଗ ଯୁଗ ଧରି ତୁମକୁ ପଚରା ଯାଉଥିବ
ସେହି ଗୋଟିଏ ପ୍ରଶ୍ନ
କାହିଁକି ଏପରି କଲ
କୁହ ହେ ଗୁରୁ କି ଯଶ ତୁମେ ଲଭିଲ ???

ଲୋକପ୍ରିୟ ଲେଖା

To Top