କବିତା

ଦୁର୍ଗତିନାଶିନୀ

Odia Author Dr Kalpana Mallick

ଅମୃତ ବେଳାଟେ ପାଇଁ
ସାଧବଟେ କାଢ଼ି ବସେ
ସାଧନା ପ୍ରସାଦ
ଅସତ୍ୟ ଉପରେ ସତ୍ୟର

ଦୁର୍ଗତିନାଶିନୀ

ମାଆ ଆସିବା ଜାଣି
ଶରତ ଆକାଶ ବିଛାଇ ଦିଏ
ସଫେଦ ଚାଦର
ନଈପଠାରେ ମୁଣ୍ଡ ହଲାଇ ନାଚେ କାଶତଣ୍ଡୀ
ନୀଳ ନୀଳ ଜଳରାଶି
ଚିକ୍ ମିକ୍ କରୁଥାଏ ମୁକ୍ତା ଭଳି
ଶାରଦୀୟ ଜହ୍ନର ଛୁଆଁରେ
ମାଆ ଆସୁଛି ବୋଲି
ଚାରିଆଡ଼େ ସଜବାଜ
ନାନାରଙ୍ଗର ତୋରଣର
ଅସୁମାରି ଭେଟ
ଏମିତି ଏ
ଅମୃତ ବେଳାଟେ ପାଇଁ
ସାଧବଟେ କାଢ଼ି ବସେ
ସାଧନା ପ୍ରସାଦ
ଅସତ୍ୟ ଉପରେ ସତ୍ୟର
ଦୁଃଖ ଉପରେ ସୁଖର
ଅନ୍ଧାର ଉପରେ ଆଲୋକର
ଅଜ୍ଞାନତା ଉପରେ ଜ୍ଞାନର
ପରାଜୟ ଉପରେ ବିଜୟର
ରାଶି ରାଶି ଆହ୍ୱାନକୁ
ଗଣି ଗଣି ନେବା ଲାଗି
ପିଆସୀ ମଣିଷମାନେ
ମଥାପାତି ଆଶିଷ ଲୋଡ଼ନ୍ତି
ବିଶ୍ୱାସରେ ମାଆ ବୋଲି

ଡାକି ଦେଲେ ଥରେ
ସଜାଡ଼ି ହେଇଯାଏ
ଉଜୁଡ଼ା ଜୀବନ
ନୂଆ ଆଶା ସଞ୍ଚରିଯାଏ
ଆବେଗର ସୁନା ସକାଳରେ,
ହେଲେ ତବ ଆବାହନୀ
କାହିଁକି ଯନ୍ତ୍ରଣା ଦିଏ
ମାଆ ରୂପୀ କେତେ ଯେ
ଲଳନା ଏଠି
ଅବେଳରେ ଝଡ଼ିଯାନ୍ତି
ଶହ ଶହ ମହିଷାର
ନିଷ୍ଠୁର ପଣରେ
ପୋଡ଼ି ହୋଇ ପାଉଁଶ
ହୁଅନ୍ତି, କେଉଁ ପିଶାଚର
ପେଟ୍ରୋଲ ନିଆଁରେ
କାହିଁକି ଏ ଆଡ଼ମ୍ୱର ମାଆ
କେଉଁ ସ୍ମୃତିର ବୀଜମନ୍ତ୍ରରେ
ନିରାଜନା ମନ୍ତ୍ରଧ୍ୱନି
ଘଣ୍ଟ ଘଣ୍ଟା ନାମ ସଂକୀର୍ତ୍ତନ
ତୁମକୁ ଦେଖିଲେ ଲାଗେ
ତୁମ ଦେହେ ଯେତେ
ଚୁମ୍‌କି ଜରି ଆଉ ଜମ୍ବୁରା ରହିଛି
ସେଥିରେ ରକ୍ତର ଛିଟା ଆମରି ଲାଗିଛି
ଖାଲି ଆମରି ଲାଗିଛି ।।

ଲୋକପ୍ରିୟ ଲେଖା

To Top