କବିତା

ଏଇତ ଜୀବନ

Manjurani Mishra's odia poem Eaita Jeebana

ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ
ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ

ଏଇତ ଜୀବନ

ଘର କରିଥିଲେ ସହିବାକୁ ହୁଏ ପଥର ପଡ଼ିଲେ ବି
ବେଳେ ବେଳେ ହାତ ପାହାନ୍ତାରୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଏ
ସହିବାକୁ ହୁଏ ଛିଣ୍ଡି ଯାଇଥିବା ମନକୁ ଗଣ୍ଠେଇ କେଉଁ ସମ୍ପର୍କର ସୂତାରେ
ଗୁଡ଼ିଟିଏ ଉଡ଼େଇବାକୁ ଇଚ୍ଛା ହୁଏ ଦୂର ଆକାଶରେ
ଫେରି ଚାହୁଁଥିବା ବସନ୍ତକୁ ଚାହିଁ ହୁଏନି ମନଭରି
ଧୈର୍ଯ୍ୟର ଧୂଆଁଧାର ନଈ ହୋଇ ବହିଯାଏ
ଶାନ୍ତିର ଚାରାଟିଏ ରୋପିବାକୁ ହୁଏ ଯତ୍ନ କରି
ଜଳ, ବାୟୁ, ଉତ୍ତାପର ଅଙ୍କୁରୋଦ୍‌ଗମ୍ କେଉଁ ପୁରୁଣା ବହିରୁ ମୁଖସ୍ଥ କରି
ତଥାପି କିଛି ଶୂନ୍ୟତା ରହିଯାଏ
ଯେତେ ଲିପାପୋଛା କଲେ ବି କାନ୍ଥରୁ ମାଟି ଖସି ପଡୁଥାଏ
ସହିବାକୁ ହୁଏ ମନକୁ ବୁଝେଇ କାଳେ କିଛି ଘଟିଯିବ ଆଚମ୍ୱିତ ଦୃଶ୍ୟ
ସବୁ ଦୁଃଖ ଭୁଲି ହେବ ସମୟର ଦୋଛକି ରାସ୍ତାରେ
ଯେତେ ସହିଲେ ବି ଝାସ ଦେବାକୁ ହୁଏ ଅଗ୍ନି ବଳୟରେ
ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ
ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ସହିବାକୁ ହୁଏ ଦୁଃଖର ନୈବେଦ୍ୟ ସଜାଡ଼ି
ମହମହ ଧୂପର ବାସ୍ନାରେ
ଲିଭି ଲିଭି ଆସୁଥିବା ଦୀପାଳୀକୁ ତେଜି ଦେଇ
ଆଉ କିଛି ପ୍ରାପ୍ତିର ଆଶାରେ ।

ଲୋକପ୍ରିୟ ଲେଖା

To Top