କବିତା

ଏବେ ବି ଚମତ୍କାର

Annapurna Mohanty's odia poem Ebe Bi Chamatkaar

ଭେଟିଥିବା
ଅନେକ ପଦାଧିକାରୀଙ୍କ ଠାରୁ
ଅଦେଖା ଅଧିକାରୀ ଯେତେ
ପାରଙ୍ଗମ ବେଶୀ କୁହୁକ କଥାର ।

ଏବେ ବି ଚମତ୍କାର

ନେତାଙ୍କ ପରି
ସତକୁ ଲୁଚାଇ ଦେବାର ଭଙ୍ଗୀ
ସଭିଁଙ୍କର ବେଶ୍ ଚମତ୍କାର ।

ଭେଟିଥିବା
ଅନେକ ପଦାଧିକାରୀଙ୍କ ଠାରୁ
ଅଦେଖା ଅଧିକାରୀ ଯେତେ
ପାରଙ୍ଗମ ବେଶୀ କୁହୁକ କଥାର ।

ସେମାନଙ୍କ ଚାରିପାଖେ
ମାଛ ବିକାକିଣାର
ଗହଳ ଚହଳ
ନିଜ ନିଜ ଭିତର
ନିର୍ଜନତା ସତ୍ତ୍ୱେ
ବାଣ୍ଟୁଥାନ୍ତି ଅନାଥରେ
ଭଳି ଭଳି ସ୍ୱପ୍ନ ବର୍ଣ୍ଣାଳୀର ।

ବିଶ୍ୱାସ ବିଞ୍ଚନ୍ତି
ପାରାକୁ ଖୁଦ
କ୍ଷେତକୁ ବିହନ
ହାତକୁ କାମ
କାମକୁ ଭାତ ପରି
ଦୁଇଟଙ୍କା ଚାଉଳରେ
ସୁନେଲି ସପନ ।

ସବୁ ଗୋଟେଇଲା ବେଳକୁ
କିଛି ବି ନୁହଁ, ନଥାଏ
ନା ପେଟ ପୂରେ
ନା ଦେହ ଲୁଚେ
ଭାବନାରେ ଜଡ଼ସଡ଼ ପିଣ୍ଡପ୍ରାଣ
ଯିଏ ମରେ ତ ପଡ଼ି ଉଠି
ପୁଣି ଜୀଉଁ ଥାଏ ।

କିଏ ବା ଆଉ ଥରେ
ଫେରିଚାହେଁ
ବିନୀତ, ହସହସ, ଯୋଡ଼ ହସ୍ତ
ଅଭ୍ୟାସ କରିବା
କେତେ କଷ୍ଟ
ଯିଏ କରେ
ସିଏ ସିନା ଜାଣେ ।

କେତେ ଠାଣିରେ
ମଧ୍ୟବିତ୍ତ କ୍ଷେତର ବେଉଷଣ ପରି
ବ୍ୟସ୍ତ, ଦେଶ, ଜାତି ପାଇଁ
ଯାଚି ପାରିନଥିବା ବିଶ୍ୱାକୁ
ଦୋହରାଏ ବାରବାର,
ଶୋଷିନେବେ ଦୁଃଖକଷ୍ଟ ଖାଲି ନୁହଁ
ଯାଚି ଦେବେ ପ୍ରତି ଘରେ
ଘିଅ ଆଉ ଉହ୍ମେଇ ମହୁର ।।

ସରୁନଥିବା କଥାରେ
ସ୍ଥିତି ଜାହିର୍ ଥାଏ
ଶବ୍ଦର ଅକ୍ଷର ଭଳି ତ
ବାକ୍ୟର ଶବ୍ଦ ମେଳି ଭଳି

ଆଜି କଥା କାଲି ନାହିଁ
କାଲି କେବେ ଆସେ ନାହିଁ
ପବନମରା କଥାରେ
ଝଲସୁଥାଏ ଦେଶ ଭବିଷ୍ୟ
ଯେତେ ଯେତେ ଚମତ୍କାର
ବୋଲି ବାଣୀ
ଶୁଣିବାର ଲୋକ ସରିନାହିଁ
କହିବାର ଫୁଲଗଛ ଜମା ମରିନାହିଁ ।।

ଲୋକପ୍ରିୟ ଲେଖା

To Top