କବିତା

ଏଇ ନଷ୍ଟକଥାଟି

Odia Writer Aparna Mohanty

ଯେ ନାରୀଟିଏ
ସତ୍ୟ ଓ ଆତ୍ମାର
ଅନ୍ୱେଷାରେ
ଆଗ-ପଛ ନ ଭାବି
ଗୋଡ଼ କାଢ଼ିଲେ
ସଂସାରରେ ତା’ ନାରୀପଣ
ହୋଇଯାଏ ମିଛ ।

ଏଇ ନଷ୍ଟକଥାଟି

ଏଇ ନଷ୍ଟକଥାଟି
ମତେ ବଡ଼ କଷ୍ଟ ଦିଏ

ଏତେ ପରିପୂର୍ଣ୍ଣ
ଦିଶୁଥିବା ନାରୀଟିକୁ
ନଷ୍ଟନାରୀ
କାହିଁକି କହୁଛ ?

କେମିତି ବୁଝାଇବି
ଏ ପ୍ରଶ୍ନ ପଚାରୁଥିବା
ପ୍ରିୟ କବିଙ୍କୁ ।

ନୀରବରେ ଘାରି ହେଉଥିବା
ଯେତେ ପ୍ରିୟ ପାଠକଙ୍କୁ

ଯେ ନାରୀଟିଏ
ସତ୍ୟ ଓ ଆତ୍ମାର
ଅନ୍ୱେଷାରେ
ଆଗ-ପଛ ନ ଭାବି
ଗୋଡ଼ କାଢ଼ିଲେ
ସଂସାରରେ ତା’ ନାରୀପଣ
ହୋଇଯାଏ ମିଛ ।

ନାରୀ
ପ୍ରେମ କରିବ ନାହିଁ
ପ୍ରଶ୍ନ କରିବ ନାହିଁ
ତର୍କ କରିବ ନାହିଁ
ମୁକ୍ତି ମାଗିବ ନାହିଁ
ପ୍ରଜ୍ଞାର ଶିଖରକୁ
କି ଆପଣାର
ଅତଳତଳ ଅନ୍ତରକୁ
କେବେ ବି
ଚାହିଁବ ନାହିଁ ।

ଏସବୁ କରନ୍ତି ଖାଲି
ଡାଆଣୀ କି
ଦୋଚାରୁଣୀମାନେ ।

ସେଥିପାଇଁ କ’ଣ ଡୋମ୍ୱୀ, ଶବରୀ
ଚାଣ୍ଡାଳୀ, ନୈରାମଣି ଦାରୀ ।

ଜିଜ୍ଞାସାର ପଥରେ
ଗଲାବେଳେ
ବସ୍ତ୍ରାଳଙ୍କାର ସହିତ
ଫିଙ୍ଗିଦେଇ ଯାଇଥିଲେ
ମାନମହତ, କୁଳଗୋତ୍ର
ସଂପର୍କ, ସଂସ୍କାର ।

ଦେହକୁ କରିଥିଲେ
ଜାଗ୍ରତ କୁଣ୍ଡଳିନୀ
ସଂଭୋଗକୁ
ହରିଦ୍ରା-ଚନ୍ଦନ-ଅକ୍ଷତର
ମହମହ ନାଗଗନ୍ଧ
ଈଷିକାର
ଓଁକାର,
ସମସ୍ୱର କରି ।

ଯୌନତାର ଜହରକୁ
ସାଧନାର ସୁଧା-ସମ
ଆକଣ୍ଠ ପାନ କରିଥିଲେ
ଅସୀମ ଶକ୍ତିଶାଳିନୀ
ଏଇ ଯେତେ
ସହଜ ସୁନ୍ଦରୀ ।

ନାରୀର ଚିରାଚରିତ
ନିଷ୍ପ୍ରାଣ ଭାବମୂର୍ତ୍ତିକୁ ଧରି
ବିଚରା ପରମ୍ପରା
ବାହୁନିବନାହିଁ ବୋଲି ସିନା
ସର୍ବଜ୍ଞା ଅବଧୂତିକା
ସାନନ୍ଦରେ ସାଜିଥିଲେ
ନୀଚାଦପି ନୀଚ
ନଷ୍ଟନାରୀ

ଆପଣା ଲାଳସା
ଓ ଅହଂକାରର
ଅଧିକାର ମୁତାବକ
ନାରୀର ଯୌନତାକୁ
ରୂପରଙ୍ଗ ଦେଉଥିବା
ଭୟାତୁର, ଦୁର୍ବଳ
ବିଳାସୀ, ପୁରୁଷ ପାଇଁ
ଦେବୀ ବି ବାଧ୍ୟହୁଏ
ଉଭାହେବାକୁ ନିର୍ବସ୍ତ୍ର
ତ୍ରେତିଶକୋଟି ଦେବଦେବୀଙ୍କ
ଚକ୍ଷୁ ସମ୍ମୁଖରେ ।

ଅପରିସୀମ
ନିସର୍ଗ ଯୌନତାର
ତେଜରେ ଉତ୍‌ଫଣ
ନଷ୍ଟନାରୀକୁ
ଘେନିବା ପୁରୁଷ
ନିର୍ବିଚାରରେ ତା’ପାଦପାଖରେ
ପତାଇଦିଏ
ସର୍ତ୍ତହୀନ
ସମର୍ପଣର ଛାତି ।

ନଷ୍ଟନାରୀ
ତାକୁ ପୁରୁଷରୁ ସାଧକ
ସାଧକରୁ ପ୍ରେମିକ
ପ୍ରେମିକରୁ ଶିବ ରୂପରେ
ଶକ୍ତିପୀଠରେ
ଆବାହନ
ସଂସ୍ଥାପନ କରେ ।

ମହାମୁଦ୍ରାରେ
ସ୍ଥିରହୋଇ ରହେ
ତା’ପରେ
ସୃଷ୍ଟି-ସ୍ଥିତି-ଲୟ ।

ଆଦିରୁ
ଅନନ୍ତକୁ
ବିହରିବା ପାଇଁ
ଗଢ଼ାହୁଏ ଧାଡ଼ି ଧାଡ଼ି
ସୁଖର ପାହାଚ ।

ଲୋକପ୍ରିୟ ଲେଖା

To Top