ଜ୍ୱଳନ୍ତ ରବିରାଜ ଝାଁଉଳିଯାଏ ପଶ୍ଚିମ ଆକାଶେ,
ଧିରେ ଧିରେ ହଯିଯାଏ ବାଦଲର କୃଷ୍ଣାବ ଛାଇତଳେ,
ନବଜନ୍ମିତ ଶିଶୁର କୋମଳ ହସଟେ ସରି
ତାରାଫୁଲ ମେଳେ ଆର୍ବିଭାବ ହୁଏ,
ଶୀତଳ ଚନ୍ଦ୍ରମାର ଧାରେ କ୍ଷଣସ୍ଥାୟୀ ଜ୍ୟୋତି,
ସେଇ ପବିତ୍ର ଜହ୍ନର ଗୋଟିଏ ଦର୍ଶନରେ ପ୍ରଫୁଲ୍ଲିତ ହୋଇଉଠେ,
ଅପଲକେ ଅପେକ୍ଷାରତ କୋଟିଏ ହୃଦୟ,
ଚଉଦିଗେ ଖେଳିଯାଏ ଗୋଟିଏ ସ୍ୱର,
‘ଈଦ୍ ମୁବାରକ୍’ , ‘ଈଦ୍ ମୁବାରକ୍’ । ……..।
କଳା ମୁଗୁନି ଶିଳର ଘଡ଼ର ଘଡ଼ର ସଙ୍ଗେ
ସଜ ଭଙ୍ଗା ବଟା ମଞ୍ଜୁଆତିର ସୁଗନ୍ଧ,
ଖିଲି ମେହେନ୍ଦିରେ ସଜା ଗୌର ପାପୁଲିର ଲୋହିତ ଆକର୍ଷଣ
ପାହାନ୍ତି ପହରୁ ବିଛୁରିତ ହେଉଥିବା ସିମେଇ, ପୁଲାଓର ବାସ୍ନା,
ରଙ୍ଗ ବେରଙ୍ଗୀ ବସ୍ତ୍ର ସାଥେ ଚିକ୍ମିକ୍ ଚୂଡ଼ି,
ସ୍ୱେତବର୍ଣ୍ଣା ପଞ୍ଜାବୀ, ସେର୍ୱାନି, ମଥାରେ ଟୋପି,
ଆଖିରେ ସୁର୍ମା, ଦେହେ ଦେଶୀ, ବିଦେଶୀ ଅତରର ମହକ,
ଆଜି ଯେ ମୁବାରକ୍ ଈଦ୍, ଈଦ୍ ମୁବାରକ୍ । ….।
ମନେପଡ଼େ ସେ ସକ୍ଷୀମେଳ, ମେହେନ୍ଦି ଖେଳ,
ନୂତନ ଆଭୂଷଣେ ସାହି-ବୁଲା, ମୂରବିଙ୍କ ଆର୍ଶିବାଦ
ଗୋଟିଏ ଦସ୍ତରଖାନ୍ରେ ସପରିବାରେ ବିରିୟାନୀର ମଜା,
ସବୁରି ଅନ୍ତେ ‘ଈଦ୍ଗାହ୍’ ରେ ବନ୍ଧୁମିଳନ, କରମର୍ଦ୍ଧନ,
ଆତ୍ମିୟତାର ଆଲିଙ୍ଗନ ସହ ଗୁଞ୍ଜରି ଉଠୁଥିବା ମୁଖଧ୍ୱନି,
ଈଦ୍ ମୁବାରକ୍ , ଈଦ୍ ମୁବାରକ୍ ।…..।
ମାତୃଭୂମି ଠୁ ଦୂରେ ମନ ସେ ସୁକ୍ଷ୍ମ ଗଗନରାଜ,
ଯାହାକୁ ଦେଖି ପୁଲକିତ ହବାର ସମୟ ନାହିଁ,
ବିରିୟାନୀ ର ମନୋମୁଗ୍ଧକାରୀ ସୁବାସ ଅଛି,
କିନ୍ତୁ ଦୂରେ ହଯିଯାଉଛି ବନ୍ଧୁ କୁଟୁମ୍ବ ଗହଣ,
ଏଠି ଖାଲି ହୋଟେଲ୍ର ଚିକ୍କଣିଆ ଟେବୁଲ୍, ଚକ୍ଚକ୍ ପ୍ଲେଟ୍
ମୋବାଇଲ୍ରେ କେତୋଟି ହାତଗଣିତ କଲ,
ଅତୀତକୁ ଡ଼ାକିଆଣୁଥିବା କିଛି ଆତ୍ମସ୍ୱର୍ଶୀ ମେସେଜ୍ ସହ
ସେଇ ଦୁଇଯୋଡ଼ି ଶବ୍ଦ,
ଈଦ୍ ମୁବାରକ୍, ଈଦ୍ ମୁବାରକ୍ ।…..।