କବିତା

ଏକାକୀ ସନ୍ନ୍ୟାସୀ

Niranjan Jena's odia poem Ekaki Sanyaasi

ଏ ପୃଥିବୀ ତା’ ରାସ୍ତାରେ ଯାଉଥିବ, ଯାଉଥିବ,
ଅଚ୍ୟୁତର ତାଳପତ୍ର ପୋଥି ମାଳିକାରେ ସୃଷ୍ଟିର ସଂହାର

ଏକାକୀ ସନ୍ନ୍ୟାସୀ

ଏ ପୃଥିବୀ ତା’ ରାସ୍ତାରେ ଯାଉଥିବ, ଯାଉଥିବ,
ଅଚ୍ୟୁତର ତାଳପତ୍ର ପୋଥି ମାଳିକାରେ ସୃଷ୍ଟିର ସଂହାର
କରୁଥିବ କଳିକୀ ଅବତାର,
ଗୋବିନ୍ଦ ଚନ୍ଦ୍ରର ଲାଉଥାଳରେ କିଏ ଅବା ମୁଠିଦେବ,
ସିଦ୍ଧାର୍ଥ ହିଁ ଭ୍ରମୁଥିବେ ଏକା, ଏକା
ଗିରିବନ, ଗ୍ରାମ, ଗ୍ରାମାନ୍ତର
କାନ୍ଥ ବାଡ଼ରେ ମାର୍କସ, ଲେନିନ, ଓହ୍ଲାଇ
ବିପ୍ଳବ କରୁଥିଲେ, କରିଯିବେ,
ଏ ପୃଥିବୀ ତା’ ରାସ୍ତାରେ ଯାଉଥିବ, ଯାଉଥିବ ।

ଦେବତାଙ୍କ ପାଇଁ କିଛି ଇତିହାସ ଲେଖା ହେବାର ନାହିଁ
ସେମାନଙ୍କ ମୃତ୍ୟୁରେ ପୁରାଣ ପୃଷ୍ଠାରେ ସେମାନେ ବନ୍ଦୀ
କେତେକଙ୍କୁ କବର ଦିଆଯାଇଛି,
ମଣିଷର ପ୍ରାକ୍ ଭାଷା ଲେଖା ଅଛି,
ଶେଷ କଥାର ଶେଷ ଲେଖା ଏ ଯାବତ ଲେଖା ହୋଇନାହିଁ ।
ଏ ପୃଥିବୀ ତା’ ରାସ୍ତାରେ ଏକା ଏକା ଚାଲିଛି, ଚାଲିବ
କେହି କାହାର ବାଟ ଓଗାଳେନା,
ଆକାଶର ଛାଇ, ଛାଇ ହୋଇ ପଡ଼େନାହିଁ
ପ୍ରଜାପତିର ଡେଣାରୁ କିଏ ରଙ୍ଗ ଚୋରେଇ ନିଏ
ସେ ପଡ଼ିରହେ ଫୁଲ ବଗିଚାରେ
ଫୁଲଙ୍କୁ ଦେଖି ଦେଖି ।

କେତେବେଳେ କାହାର ହୁଏ ସୃଷ୍ଟି ଓ ସଂହାର,
କେତେବେଳେ ଅସହାୟତାର ଶବ
ଝୁଲି ପଡ଼େ ବେତାଳ କାନ୍ଧରେ
ଆକାଶର ଆକାଶିଆ ନୀଳ
ଭିନ୍ନ ରଙ୍ଗ ନିଏ
ଏକାକୀ ସନ୍ନ୍ୟାସୀଟି ପରି
ଏ ପୃଥିବୀ ପିଠି କରି ଚାଲୁଥାଏ ଆପଣା ରାସ୍ତାରେ ।

ଲୋକପ୍ରିୟ ଲେଖା

To Top