କବିତା

ଗାର

Jachindra Kumar Rout's odia poem Gaara

ଗାର ଡେଇଁଗଲେ ଭୋଗିବାକୁ ହେବ
ବନବାସ ଚଉଦ ବରଷ
ନିଆଁରେ ପୋଡ଼ି, ମାଟିରେ ହଜିଲେ ବି
ଲିଭିବ ନାହିଁ ଅସତୀର କଳଙ୍କ ।

ଗାର

କି ଗାର ଟାଣୁଚ, କବି ନିରଞ୍ଜନ ?
ଗାରେଇ ଗାରେଇ ଆଙ୍କିଦେଲଣି ଚିତ୍ରଘର
ଜହ୍ନରେ କିଣି ଦେଲଣି ଜାଗା
ଘର ଅଗଣାରେ ବୁଲିଗଲାଣି ପାଚେରୀ ।

କି ଗାର ଶିଖେଇ ଦେଲେ ବିପ୍ରବାବୁ, କେଜାଣି
ସାରା ଲଣ୍ଡନଙ୍କୁ ଗାରଉଚନ୍ତି ପ୍ରଫୁଲ ମହାନ୍ତି
ମଡ଼ର୍ଣ୍ଣ ଆର୍ଟରେ
ସିଏ ଏବେ ପ୍ରସିଦ୍ଧ ଶିଳ୍ପୀ, ପ୍ରଖ୍ୟାତ ଲେଖକ
ଏମିତି ତ କବିତା ଲେଖି ଲେଖି
ସୁବ୍ରତ ଦାସ ହଜେଇ ଦେଇଛି
ତା’ ହୃଦୟର ଆରଖଣ୍ଡକ
କରଣି ଗାରରେ ଛୋଟ ହେଇଗଲା ଯେ
ରଜାପୁଅ ହରେଇଲା ଅନେଶୋତ ଦାମ୍ପତ୍ୟ
ମୂର୍ଚ୍ଛି ଦେଲା ଉଷୁମ ଓଠର ଲାଳିତ୍ ।

ଦଲିଲର ଧାପେ ଗାରରେ
ନାଆଣ ବୁଢ଼ା ପୋଛିଦେଲା
ବଡ଼ଭାଇ ଗୋବିନ୍ଦର ସବୁ ଜମିବାଡ଼ି
ବିଧବା ଶୁକୁଟିମା ଗାଉଚି ଯୋଗୀଗୀତ
ଝିଅମାନେ ବଜଉଚନ୍ତି କେନ୍ଦରା ।

ଗାର ଡେଇଁଗଲେ ଭୋଗିବାକୁ ହେବ
ବନବାସ ଚଉଦ ବରଷ
ନିଆଁରେ ପୋଡ଼ି, ମାଟିରେ ହଜିଲେ ବି
ଲିଭିବ ନାହିଁ ଅସତୀର କଳଙ୍କ ।

କବି ନିରଞ୍ଜନ ! ଦେଖିଚନା
ଚନ୍ଦରା ନାଆକ କେମିତି ଅଙ୍କ କଷୁଥାଏ
କପାଳ ଆଉ ପାପୁଲିର ଗାରରେ
ଚାହାଁଣିର ସରଳରେଖାରେ
ସନ୍ତୋଷ ମାଷ୍ଟ୍ରେ ଆଙ୍କିଦିଏ ଇନ୍ଦ୍ରଧନୁ
ଛାତ୍ରୀର ବର୍ତ୍ତୁଳ ଥନରେ
ଅଭିଆଡ଼ି ଫଳଧରେ
ସାର୍‌ଙ୍କ ଗୋଟିଏ ଗାରରେ ।

ଗାରର ଗରିଷ୍ଠ ଗାରିମାରେ
ଦୁଇଫାଳ ହୁଏ ରକ୍ତ
ତିଆରି ହୁଏ ଭାଷା, ଇମାରତ
ଗଢ଼ାହୁଏ ଦେଶ ଆଉ ଜାତି
ମାଟିଫାଟି ଦୁଇଖଣ୍ଡ ହେଇଯାଏ ତ
ରାଜାହୁଏ ଯୋଗୀ
ଫକୀର ବି ବସିପଡ଼େ ହୀରାସିଂହାସନରେ
ଗାରର ଗଙ୍ଗଶିଉଳିରେ ।

ଏମିତି ଗାରଟିଏ ଟାଣ
କବି ନିରଞ୍ଜନ
ସୂତାଟିଏ ପାଲଟିଯାଉ କବିତା
ହାରହେଇ ଝୁଲୁଥାନ୍ତୁ ସବୁ ମଣିଷ
ଜଗତକରଣରେ ତିଆରି ହେଉ
ଗୋଟିଏ ଜାତି, ଗୋଟିଏ ଦେଶ
ଏକୋଇ ଧର୍ମ, ଏକଇ ଈଶ୍ୱର
ଗୁଳାଏ ମାଟିରେ ଥାପି ଦିଅନ୍ତୁ
ସମସ୍ତେ ପାଦ
ସଫଳ ହେବ ତୁମ କବିତା ଲେଖା ।

ଲୋକପ୍ରିୟ ଲେଖା

To Top