ଘର କରିବ ବୋଲି
କାଟିଦେବ ପୂର୍ବପୁରୁଷଙ୍କ ଗଛ ।
ସେହି ଘରେ ଶୋଇଲେ ମୁଁ ସ୍ୱପ୍ନ ଦେଖେ
ଘରେ କାଠ ନୁହଁ
ଝୁଲୁଚି ଜେଜଙ୍କ ଅସ୍ଥିହାଡ଼, ମେରୁଦଣ୍ଡ
ଏମିତି ସ୍ୱପ୍ନ କାହିଁକି ଦେଖେ ମୁହିଁ ?
ମୋତେ ଲାଗେ
ଏଇଠି କେଉଁଠି ଅନ୍ଧାରରେ ଅଛନ୍ତି ଜେଜ ?
ଦିନେ ଦିନେ ନିଦ ବାଉଳାରେ
ଦୌଡ଼ିଯାଏ ଜେଜଙ୍କ ସମାଧି ପାଖକୁ
ପାଚିଲା ପତ୍ରରେ ଥାଏ
ଟୋପାଏ କାକର ବୁନ୍ଦା
ମୁଁ ଆସି ଘରେ ଲୁଚିଯାଏ ।
ଝର୍କା ଖୋଲିବା ମାତ୍ରେ
ସବୁଜ ଶୂନ୍ୟତା ଗୋଟେ ଲମ୍ୱି ଆସେ
ନିଦରେ ଶୋଇ ମୁଁ କହେ
ଜେଜେ, ଜେଜେ, ଗଛ, ଗଛ !
ଜେଜମାନେ ଗଛ ଲଗାନ୍ତି
ଫଳପୁଷ୍ପ, ପତ୍ର ଓ ଛାଇରେ
ଗଢ଼ନ୍ତି ପୁରୁଷ ପରେ ପୁରୁଷ
ବାପାମାନେ ଗଛ କାଟି
ଗଢ଼ନ୍ତି କଂକ୍ରିଟ୍ ସ୍ଥାପତ୍ୟ
ଘର ସରିବା ବେଳକୁ
ଗଛ ନ ଥାଏ
ନ ଥାନ୍ତି ଜେଜ !
ମୁଁ ଗୋଟେ ଗଛ ପୋତିଛି
ସିଏ କ’ଣ ବଞ୍ଚିବ ?
ଥରେ ସ୍ୱପ୍ନରେ ଦେଖିଲି ଏକ ବିଚିତ୍ର ଦୃଶ୍ୟ
ପତ୍ନୀ ଓ ପିଲାମାନେ
ହାତରେ ମାରଣାସ୍ତ୍ର ଧରି
କାଟି ଚାଲିଛନ୍ତି ମୋର ପାଦ, ବେକ
ଛିଣ୍ଡା ଅଖାରେ ବାନ୍ଧି
ପୋତି ଦେଇଛନ୍ତି ପାଇଖାନା ଟାଙ୍କିରେ ।
ରାତିପାହିବା ବେଳକୁ ମୁଁ ଗାଆଁରେ
ପୋତିଥିବା ଗଛରେ ଫୁଲ ହେଲାଣି
ଏଇ ଗଛ ମୋ ଜେଜ !