କବିତା

ଗଛକଥା

Dr Dilip Kumar Swain's odia poem Gachakathaa

ଯେଉଁ ଗଛର ଚେରକୁ
ଉପାଡ଼ି ପାରିଲାନି ମହାବାତ୍ୟା
ତାକୁ କାଟିବା କ’ଣ ଠିକ୍ କଥା ?

ଗଛକଥା

ଏଥର ଗାଆଁକୁ ଗଲେ
ପଚାରିବି ଗଛ କଥା ।

ଯେଉଁ ଗଛର ଚେରକୁ
ଉପାଡ଼ି ପାରିଲାନି ମହାବାତ୍ୟା
ତାକୁ କାଟିବା କ’ଣ ଠିକ୍ କଥା ?

ଏଇ ଗଛ ତଳେ
ଜେଜଙ୍କ ସମାଧିର ଭଙ୍ଗା ଇଟା
ଇଟା ଉପରେ ଉଇହୁଙ୍କା
ମା’ ଏଇଠି କ୍ଷୀର ତାଟିଆ ଥୁଏ
କିଏ ପିଇଯାଏ କେଜାଣି
ମା’ କହେ ତୋ ଜେଜ
ଦଣ୍ଡବତ !

ଏଇ ଗଛତଳେ
ବାପାଙ୍କ ଖରାବେଳ
ବୋଉ ଦେଇଯାଏ ବିଡ଼ିଆ ପାନ ଦି’ଖଣ୍ଡ
ପତ୍ର ଗହଳରୁ ହସିଦିଏ ହଳଦୀ ବସନ୍ତ ।
ଗଛ କାଟିବା ଦିନୁ
ବାପା ନିସ୍ତବ୍ଧ
କଟାଗଣ୍ଡି ପରି ବାପାଙ୍କୁ ପକ୍ଷାଘାତ ।

ଜେଜଙ୍କ ବଙ୍କୁଲିବାଡ଼ି
ବାପାଙ୍କ ନାଲି ଗାମୁଛା
ମୋ ଛାତିର ଦୁକୁଦୁକି
ସାଇତିଥିଲି ଗଛ କୋରଡ଼ରେ ।
ଗଛ ନୁହେଁ ବାପା
ଆମ ଅତୀତକୁ ହାଣିହୁଣି
କିଏ ମିଶାଇ ଦେଇଚି ମାଟିରେ ।

ପ୍ରେମିକା ସହ ଗୋଟିଏ ଜହ୍ନରାତି
କାଟିବାର କଥା ଥିଲା ଏଇ ଗଛତଳେ
ପତ୍ରର ଫାଙ୍କରୁ ଅନ୍ୟମନସ୍କ ଜହ୍ନରାତିକୁ
ବାନ୍ଧି ଥାଆନ୍ତି ତା’ ଉନ୍ମୁତ୍ତ ବେଣୀରେ ।

ତମେ କ’ଣ ଦେଖିପାର
ଗଛର ସବୁଜ ରକ୍ତ
ଗଛମୂଳେ ବସି
ରଜାପୁଅ ପାଲଟିଯାଏ ବୁଦ୍ଧ ।

ଜାଣିଥା’ ଭାଇ
ଗଛ କାଟିବା ସହଜ
ଗଛ ପରି ହେବା ବଡ଼ କଷ୍ଟ ।

ଲୋକପ୍ରିୟ ଲେଖା

To Top