କବିତା

ଗଙ୍ଗଶିଉଳି

Shibanarayan Das's odia poem Gangashiuli

ଜନ୍ମଦିନର ମର୍ମ ନଥିଲି ଜାଣି ମୁଁ,
ଯେଣୁ ଜନ୍ମିବା ଆଗୁ ମୃତ୍ୟୁ ଗରଭେ ଝରିଲି ,
ଏବେ ପାଇ ଅମୃତ ସ୍ପର୍ଶ ତୁମର ଏ ଦେହେ
ମୁଁ ଗୋ ନବଜନ୍ମର ମୃତ୍ୟୁଞ୍ଜୟୀ ସାଜିଲି ।

ଗଙ୍ଗଶିଉଳି

ପ୍ରିୟତମ ତୁମେ ଆସିବା ଆଗରୁ ଜୀବନେ
ମୁଁ ଗୋ ଧୂସର ଧରାରେ ପଡୁଥିଲି ନୀତି ଝାଉଁଳି .
କେବେ ଦେଖିବା ଆଗରୁ ସୂର୍ଯ୍ୟୋଦୟର ସପନ
ନୀତି ଆଦ୍ୟ ଉଷାରେ ଯାଉଥିଲି ଝରି ମଉଳି ।

ଅମା-ଅନ୍ଧାର ଘୋର ରାତ୍ରି ଗରଭେ ବିକଶି
ପୁଣି ଅନ୍ଧାର ତଳେ ଯାଉଥିଲି ମୁଁ ଗୋ ମିଳାଇ,
ଶତ ସ୍ନିଗ୍ଧ ଏ ମୋର ତନୁର ସୁରଭି ଆହୁରି
କେତେ ଅଯତନେ ପୁଣି ପଡୁଥିଲା ସତେ ଘୁମାଇ ।

ଚିନ୍ମୟୀ ତୁମେ ଦେଲ ଚିନ୍ମୟ ଆଶିଷ
ଦେଲ ସୁପ୍ତ ନୟନେ ମୁକ୍ତ ଆଶାର ସପନ
ତୋଳି “ଆସ୍ପୃହା” ମୋର ମୃଣ୍ମୟ ଏହି ତନୁରେ
ତୁମେ ଗଭୀର ପ୍ରୀତିରେ କରିଲ ଗୋ ମୋତେ ଚୟନ ।

ତୁମେ ଦିବ୍ୟ କରୁଣା ଝରାଇଲ ମୋର ବୁକୁରେ
ମୁଁ ଯେ ହଜିଗଲି ଦୀନ ଜୀର୍ଣ୍ଣ ଗଙ୍ଗଶିଉଳି,
ପୁଣି ଜନମିଲି ହୋଇ “ଆସ୍ପୃହା” ତବ ଚରଣେ
ଏବେ ଆସ୍ପୃହା ମୋର ତୁମ ପାଇଁ ଉଠେ ଉଜଳି ।

ଜନ୍ମଦିନର ମର୍ମ ନଥିଲି ଜାଣି ମୁଁ,
ଯେଣୁ ଜନ୍ମିବା ଆଗୁ ମୃତ୍ୟୁ ଗରଭେ ଝରିଲି ,
ଏବେ ପାଇ ଅମୃତ ସ୍ପର୍ଶ ତୁମର ଏ ଦେହେ
ମୁଁ ଗୋ ନବଜନ୍ମର ମୃତ୍ୟୁଞ୍ଜୟୀ ସାଜିଲି ।

ଆସିବନି ଆଉ ମୃତ୍ୟୁ ଏ ମୋର ଜୀବନେ
ଏବେ ନିତ୍ୟ ଜନ୍ମଦିନେ ମୁଁ ହୋଇବି ବିଭୋର ,
ତୁମେ ସଞ୍ଚରି ଅଛ ଏ ମୋର ଅୟୁତ ଶିରାରେ
କିଏ ରୋଧିବି ପଥ ମୁଁ ଲଙ୍ଘିବି ଗିରି ସାଗର ।

ଆଗୋ ସୁନ୍ଦର ଚିର-ସୁନ୍ଦର ମୋର ଦୟିତ
ନିଅ ଛନ୍ଦା ଚରଣେ ବନ୍ଦାଇ ମୋର ଜୀବନ,
ଅରବିନ୍ଦ-ପଦେ ମୁଁ ବନ୍ଧା ଜନମ ଜନମ
ତୁମେ ଈଶ୍ୱର ମୋର ପୂର୍ଣ୍ଣ ପ୍ରାଣର ଶରଣ ।

ସଂକ୍ଷେପରେ

ଗଙ୍ଗଶିଉଳି ଶରତ ଋତୁରେ ଫୁଟୁଥିବା ଏକ ସୁଗନ୍ଧି ପୁଷ୍ପ ଯାହାକି ରାତିରେ ଫୁଟି ସୂର୍ଯ୍ୟୋଦୟ ହେବା ଆଗରୁ ଆଦ୍ୟ ପ୍ରଭାତରେ ଝରିପଡିଥାଏ । ଏହି ଫୁଲଟିର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ହେଉଛି “ଆସ୍ପୃହା” । ଠିକ୍‌ ସେହିପରି ମଣିଷ ଭିତରେ ଈଶ୍ୱରଙ୍କ ପ୍ରତି ଏକ ତୀବ୍ର ଆସ୍ପୃହା ଜାଗ୍ରତ ହେଲେ, ମଣିଷ ଦିନେ ତାର ନିଶ୍ଚେତିତ ଏବଂ ଅନ୍ଧକାର ମରଣଶୀଳ ସତ୍ତା ଭିତରେ ସେହି ଦିବ୍ୟତାକୁ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ଅମୃତତ୍ୱର ଅଧିକାରୀ ହୋଇ ପାରିବ ।

ଲୋକପ୍ରିୟ ଲେଖା

To Top