କବିତା

ଘର

Annapurna Mohanty's odia poem Ghara

ଆପଣା ଛାଏଁ ଗଢ଼ିହେଲା
ଘର ନିଜ, ବାହାରଟା ପର !

ଘର

ଚିତ୍ରାଙ୍କନ ଖାତାରେ
ସୁନ୍ଦର ଘରର ଚିତ୍ର
ବାଁ ପାଖେ କଦଳୀ ଗଛର ଛାଇ
ଚାନ୍ଦିନୀ ତିଆରି କୂଅ
ପୂବେଇ ଚାହିଁଲେ
ସାମ୍ନାରେ ନଈ
ଦୂର ମୂଲକରୁ ଦିଶେ
ଦିଗଛୁଆଁ ଗଛଙ୍କର ଛାଇ
ଏମିତି ଘରଟେ
ବାସ୍ତବରେ କାହିଁ ?
ତମ ଭାଗ୍ୟରେ ନା ମୋ ଭାଗରେ ?

ଆଶା ବୈତରଣୀ
ଭଲଘର, ଭଲଲୋକ
ଦେଖିଲେ ଲୋଭେଇପଡ଼େ
ମିଳେନା ସତ,
ଆଶାରେ ପାଳୁଥାଏ ।

କେତେ ହଜାର ବର୍ଷ ପରେ
ଘର ତିଆରିଲା ମଣିଷ
ପରକୁ ପର
ଅଧିକରୁ ଅଧିକ ସୁନ୍ଦର,
ପବନ ଆଲୁଅର ଗତାଗତ
ବଡ଼ଝର୍କା ବଡ଼ପିଣ୍ଡା
ପାଖକୁ, ଲକ୍ଷ୍ମଣର ତିନିଗାର ।

ଆପଣା ଛାଏଁ ଗଢ଼ିହେଲା
ଘର ନିଜ, ବାହାରଟା ପର !

କେତେଥର ଶୁଣାଇଛି
ଭରସା ନ ପାଉଚି ତ ଥାଉ
ମୋ ବିଶ୍ୱାସକୁ ନେଇ
ମୋତେ ଜୀଇଁବାକୁ ଦିଅ
ତମ ଚିତ୍ରାଙ୍କନ ଖାତାର ଘରଠାରୁ
ତୋଳା ଯାଇପାରେ
ସୁଉଚ୍ଚ ସୁନ୍ଦର ଘର !

ମନର ସ୍ୱପ୍ନକୁ ବଢ଼ାଅ
ମାଟିମୟ ହେଉ ମନ
ସ୍ୱପ୍ନ ଛୁଉଁ ନବ ଦିଗନ୍ତ
ଶାନ୍ତି ପାଇଁ ସୁନ୍ଦର
ମନଲୋଡ଼ା
ନଥିଲେ ନ ଥାଉ ପ୍ରାସାଦର ହର୍ମ୍ୟ !

ଲୋକପ୍ରିୟ ଲେଖା

To Top