କବିତା

ଘର

Matrudatta Mohanty's odia poem Ghara

ମେଞ୍ଚା ମେଞ୍ଚା ଦୁଃଖ ସବୁ
ସମସ୍ତଙ୍କ ଚେହେରାରେ
ରଙ୍ଗ ପରି ଲାଗି ରହିଛି ।

ଘର

ସେ ଘରେ କ’ଣ ଅଛି
ଦୁଃଖ ବ୍ୟତୀତ !
ସେ ଘରଟା ତ ଅଭାବମୟ !

ମେଞ୍ଚା ମେଞ୍ଚା ଦୁଃଖ ସବୁ
ସମସ୍ତଙ୍କ ଚେହେରାରେ
ରଙ୍ଗ ପରି ଲାଗି ରହିଛି ।

ଭଙ୍ଗା କାନ୍ଥ ସତେ ଯେମିତି
ମଣିଷର ମଣିଷପଣିଆକୁ ଗିଳିଯିବ ।
ଭୋକିଲା ପେଟର ଆର୍ତ୍ତ ଚିତ୍କାର
ଫଟା କାନ୍ଥରେ ପିଟି ହୋଇ ଫେରି ଯାଉଛି ।
ମାଟିହାଣ୍ଡି କେତେଖଣ୍ଡ ସହିତ
ଚୁଲି ଓ ହାଣ୍ଡିଶାଳର ସମ୍ପର୍କ ।

ଛତୁ ଫୁଟା ଚାଳ ବାଟେ
ବର୍ଷା ପାଣି ଥପ ଥପ ଝରି ପଡ଼େ,
ବାପ ଅଜା ଅମଳର ଫାଙ୍କା ଅମାରରେ
ଏବେ ବି ସଞ୍ଜବତୀ ଜଳେ ସନ୍ଧ୍ୟାରେ ।

ସମସ୍ତଙ୍କ ଆଖିରେ ଆଖିଏ ଆଖିଏ ସ୍ୱପ୍ନ
ଅଥଚ ରଙ୍ଗହୀନ
ସତ ହେବାର ବିଶ୍ୱାସରେ ଫୁଟି ଉଠିଛନ୍ତି ।

ଅଭାବ ଓ ଯନ୍ତ୍ରଣାର ଗାଢ଼ ଛିଟା ସବୁ
ଛିଟିକି ପଡ଼ିଛି ଏଣେ ତେଣେ ।

ଖାଲି ନାହିଁ ନାହିଁର ଘର ଖଣ୍ଡେ ସେ
କିଛି ବି ନାହିଁ, କେଉଁଠି ବି ନାହିଁ
ଅଭାବ ଯନ୍ତ୍ରଣା ବ୍ୟତୀତ !

ଲୋକପ୍ରିୟ ଲେଖା

To Top