କବିତା

ଗୋପପୁର

Navajyoti Rai's odia poem Gopapura

ସମାଜର ସବୁ ନାଲି ଆଖିକୁ
ଅକ୍ଳେଶରେ କରିଥିଲ ସାମ୍ନା
ତୁମେ ସତରେ ଅନନ୍ୟା ।

ଗୋପପୁର

ତମେ ଥିଲାବେଳେ
ମୁଁ ହୋଇଥିଲି ସମର୍ଥ
କନିଷ୍ଠ ଆଙ୍ଗୁଳିରେ ବୋହିବାକୁ
ଗିରି ଗୋବର୍ଦ୍ଧନ
କୁନି କୁନି ପାଉଁଜି ପିନ୍ଧା ପାଦରେ
ଝୁଣ୍ଟୁଥିବା ବୟସରେ
ଦଳନ କରିଥିଲି କାଳୀୟ ।

ବଂଶୀର ଆକର୍ଷଣ
କେବଳ ତୁମରି ପାଇଁ
ହୋଇଥିଲା ଅଦ୍ଭୁତ
କେତେ କ’ଣ କରିପାରିଥିଲି
ତୁମ ସାହସ ମୋତେ
କରିଥିଲା ସାହସୀ
ଚନ୍ଦ୍ରସେଣା, ଜଟିଳା, କୁଟିଳା
କାହାରିକୁ ତୁମ ନ ଥିଲା ଭ୍ରୁକ୍ଷେପ
କେମିତି ପାରିଥିଲ ହେ ବୀରାଙ୍ଗନା ।

ସମାଜର ସବୁ ନାଲି ଆଖିକୁ
ଅକ୍ଳେଶରେ କରିଥିଲ ସାମ୍ନା
ତୁମେ ସତରେ ଅନନ୍ୟା ।

ଦେଖୁନ ତୁମଠୁ ଦୂରେଇ
ଆସିବା ପରେ ମୋର
ସବୁ ଲୀଳା ଶେଷ
ଏମିତିକି ବଂଶୀଟା ବି
ପାଲଟିଲା ଖଣ୍ଡିଏ ବାଉଁଶ
ଆଉ କି ସ୍ୱର ବାହାରିବ ।
ଯେଉଁ ସ୍ୱର ବାହାରିବ ।
ଯେଉଁ ସ୍ୱର କହିପାରନ୍ତା
ରାଈ ଗୋ !
ଅଛ କେଉଁଠି
ଚାଲିଆସ
ଆଉ ଥରେ ଗଢ଼ିବା
ଗୋପପୁର ।

ଲୋକପ୍ରିୟ ଲେଖା

To Top