କବିତା

ହାଡ଼ର ମଣିଷ

Annapurna Mohanty's odia poem Haadara Manisha

ପୁଷକୁ ପର ଲାଗିବ
ବାପାଙ୍କ କାନ୍ଧରେ
ଉହୁଁକି ଥାଉ ନ ଥାଉ ସୂରୁଜ
ହାପା ନଇଁଥିବେ କ୍ଷେତରେ ।

ହାଡ଼ର ମଣିଷ

ସମସ୍ତେ ଉପୁଜାଇ ପାରନ୍ତିନି
କ୍ଷେତରୁ ଧାନ
ବରଜରୁ ପାନ
ମେହେନତ ସାଥିରେ
ମନଟେ ଯୋଡ଼ିହୁଏ ଯେଉଁଠି
ଉତୁରିଯାଏ କ୍ଷେତ
ଲହସିଯାଏ କେଣ୍ଡା
ଖୁନ୍ଦି ହୁଏ ପବକୁ ପବ ପାନ ।

ଏଥର ଧାନ ଭଲ ହେଲେ
ଭଲ ଜାଣ ଘରର ଇସାଣ
ବାପାର ମନ
ବୋଉ ହସିବ ରହି ରହି
ବାସୁଥିବ ତା’ ଦେହ
ହଳଦି ଚନ୍ଦନ ! !
ହାଟରୁ ଭଳି ଭଳି ନ ହେଲେ ବି
ନୂଆ କସ୍ତା, ଜାମା, ଗଞ୍ଜି
ମାଣବସା ଖଟୁଲି ଆସିବ
ଏଥର ଓଷାରେ ଖେଚୁଡ଼ି କ୍ଷୀରି ସାଥେ
ପିଠା, ସରପୁଳି ରନ୍ଧା ହେବ !

ପୁଷକୁ ପର ଲାଗିବ
ବାପାଙ୍କ କାନ୍ଧରେ
ଉହୁଁକି ଥାଉ ନ ଥାଉ ସୂରୁଜ
ହାପା ନଇଁଥିବେ କ୍ଷେତରେ ।

ବୋହି ଆଣିବେ
ଜଗତ ଭୋକକୁ ଭାତ
ଗୋଡ଼ହାତ ସନ୍ନିପାତ ତ
ଥାଉ, କିଏ ପଚାରେ
ପାଲିଙ୍କିରେ ବସି
ପାଟଛତ୍ରି ମୁଣ୍ଡ ପରେ ରଖି
ସ୍ୱପ୍ନ ଆସିବ ଆମ ଘର
ଯୋଜନାର ଅଙ୍କକଷା
ଝିଅ ବାହାଘର ତ
ପୁଅର କଲେଜ ପଢ଼ା,
ବାପା ଛାତିରେ ସାମର୍ଥ୍ୟ
ବୋଉ ମନରେ ବିଶ୍ୱାସ
ସବୁ ମୂଳରେ ଧାନ
ନଇଲେ ପାନ !

ଏବେ ତ ସରକାର
ଛଡ଼ାଇ ନିଏ ଧାନଜମି
ପାନର ବରଜ
ବିଦେଶୀରେ ଯାଚିଦିଏ
ସାରା ମେହେନତି ମଣିଷର
ରକତ ନିଗିଡ଼ା ଶ୍ରମ ତ
ସପନ ସତତ ।

ଦୁଃଖ ଅଭାବର
ଦି’ ସାଆଁରା ଆମ ଗାଁ
ଲୁହ ଲୁହାଣରେ ଆକ୍ତାମାକ୍ତା
ପିଣ୍ଡପ୍ରାଣ
ହାଡ଼ର ମଣିଷ ଆମେ
ତଥାପି ସରକାର ଦିଏ ନାହିଁ ଧ୍ୟାନ
ଆମର କଅଁଳୁଥିବା
କଷି କଷି ସପନକୁ
ଲୁଟି ନିଏ ସରକାର
ମରିଯାଏ ଆମ ବଞ୍ଚିବାର ଦିନ !

ଲୋକପ୍ରିୟ ଲେଖା

To Top