କବିତା

ହାଣ କୁରାଢ଼ୀ

Surendra Kumar Behera's odia poem Haana Kuraadhi

ଛୁଇଁଛ କି ?
ତାର ମନର ଦାଢ଼ରେ
ଲାଗି ଯାଇଥିବା ମେଞ୍ଚା ମେଞ୍ଚା
କଳଙ୍କ – କାଳିମାର ଦାଗକୁ !

ହାଣ କୁରାଢ଼ୀ

ଘରର କୋଉ କୋଣରେ
ଚୁପ୍‌ଚାପ୍‌ ପଡିରହିଥିବା ବେଳେ
ଦେଖିଛ କି ?
ହାଣ କୁରାଢ଼ୀର ପେଟରେ
ଜଳୁଥିବା ଦାଉ ଦାଉ ଭୋକକୁ !

ଛୁଇଁଛ କି ?
ତାର ମନର ଦାଢ଼ରେ
ଲାଗି ଯାଇଥିବା ମେଞ୍ଚା ମେଞ୍ଚା
କଳଙ୍କ – କାଳିମାର ଦାଗକୁ !

ଶୁଣିଛ କି ? … ତାର ହୃଦୟରେ
ବାରବାର ଉଚ୍ଚାରିତ ହେଉଥିବା
ଅହିଂସ୍ରତାର ମୋହନ ମନ୍ତ୍ରକୁ;
ମାପିଛ କି ? … କୋଉ ମନ ମିଟରରେ
କାହା କାନ୍ଧରେ ପଡିଥିବା ବେଳେ
ଚିକ୍‌ଚିକ୍‌ କରୁଥିବା ତା’ର
ବିକଟାଳ ଧାରୁଆ ହସକୁ ??

ବୁଝିଛ କି ? ଗଛର ବେକରେ
ଚୋଟ ପରେ ଚୋଟ ମାରୁଥିବାବେଳେ
କେମିତି, ଝରି ପଡୁଥାଏ
ବର୍ବରତାର ତା କତାଚିହ୍ନମାନ;
ଆଉ କାନ୍ଦିପାରୁନଥିବା
ଗଛର ବିବ ଶ ପଣ !

କୁରାଢ଼ୀକୁ କଣ ଜଣା
ଜୀବନରେ ଜିଇଁବାର ମୂଲ୍ୟ
କୁରାଢ଼ୀ ତ କେବଳ ହାଣି ଜାଣେ
ପୁଣି ହାଣି ଚାଲିଥିବ,
ସେତେଦିନ, ଯେତେଦିନ
ଦୁଇଟି ହିଂସାର ହାତରେ
ବନ୍ଧା ପଡ଼ିଥିବ ତାର ନିର୍ଜୀବ ଜୀବନ ।

ଆଉ କେତେ ଦିନ ?
ହେ ଧର୍ମଜ୍ଞ ମଣିଷ
କୁରାଢ଼ୀର ମୁଣ୍ଡରେ,
ପାପର ଅଠା ବୋଳି
ନିଃସର୍ତ୍ତରେ ଜିଇଁବାର
ଅମ୍ଳଜାନ ବାଣ୍ଟୁଥିବା
ନିଷ୍ପାପ ଗଛକୁ କାଟି ଚାଲୁଥିବ
କେତେଦିନ ? ଆଉ କେତେ ଦିନ ?

ଲୋକପ୍ରିୟ ଲେଖା

To Top