କବିତା

ହଜିଲା ଦିନ

ହଜିଲା ଦିନକୁ ଖୋଜି ବସିଲି ମୁଁ
ସ୍ମୃତି ଭିଜା ବରଷାରେ
ପ୍ରତିଧ୍ୱନି ଛଳେ ବରଷା ଶବଦ
ଆନମନା ମତେ କରେ ।

ହଜିଲା ଦିନ

ମେଘ ବରଷଇ ମୂଷଳ ଧାରାରେ
ହସଇ ଧରଣୀ ରାଣୀ
ହୃଦୟେ ମୋହର ଜଗାଏ ପୁଲକ
କେତେସ୍ମୃତି ଦିଏ ଆଣି ।

ହଜିଲା ଦିନକୁ ଖୋଜି ବସିଲି ମୁଁ
ସ୍ମୃତି ଭିଜା ବରଷାରେ
ପ୍ରତିଧ୍ୱନି ଛଳେ ବରଷା ଶବଦ
ଆନମନା ମତେ କରେ ।

ଝରକା ପାଖରେ ସେଦିନ ମଉନେ
ଆକାଶକୁ ଚାହିଁ ରହି
ମନେ ଭାଳୁଥିଲି କେତେ ଯେ ବରଷା
ଜୀବନେ ଦେଲି ବିତାଇ ।

ମନେ ପଡ଼ିଗଲା ଭିଜା ଏ ଶ୍ରାବଣେ
ସାଙ୍ଗ ସାଥୀ ଗହଣରେ
ଖେଳି ବୁଲୁଥିଲି ସେମାନଙ୍କ ମେଳେ
ଖୁସିଭରେ ଉଚ୍ଚାଟରେ ।

କାଗଜେ ତିଆରି କରି ଡଙ୍ଗାଟିଏ
ଭସାନ୍ତି ଏବେ ପାଣିରେ
ଭାସି ଭାସି ଡଙ୍ଗା ଯାଉଥାନ୍ତା ଚାଲି
ସରଗ ପାଣିର ଧାରେ ।

ମୋ ମନ ଡଙ୍ଗାଟି ବର୍ଷା ମାଡ଼ ଖାଇ
ଯିବ ଅଧ ବାଟ ଯାଏ
ସାଙ୍ଗ ସାଥୀ ଏବେ କେହି ନାହିଁ ଏଠି
ଡଙ୍ଗା ମୋ ବାହିବ କିଏ ?

ଘାଣ୍ଟି ଘାଣ୍ଟି ବର୍ଷା ପାଣି ମୁଁ ଫେରିଲେ
ହୋଇ ଓଦା ସର ସର
ଦେଖଇ ମୋ ବାଟ ଚାହିଁ ବସିଅଛି
ହୋଇ ମୋ ବୋଉ ଅଧୀର ।

ଲମ୍ୱା ପଣତରେ ପୋଛି ମୋର ଦେହ
ଆକଟି କହଇ ମୋତେ
ଆଉ କେବେ ଯଦି ଏପରି କରିବୁ
ମୋ ରାଣ ରହିଲା ତୋତେ ।

କାଗଜ ଡଙ୍ଗା ପରି ମୋ ଜୀବନ
ଏ ସଂସାର ଉବୁଟୁବୁ
ତଥାପି ଚାଲିଛି ଥମିନି କେଉଁଠି
ବୋଉ ରାଣ ଭାବୁ ଭାବୁ ।

ଜୀବନ ନଉକା କେତେ ଟାଣ ସତେ
ବୁଡ଼ିବନି ଅଧାବାଟେ
ଧୈର୍ଯ୍ୟ ଆହୁଲାରେ ବାହିଲେ ବୋଇତ
ଆଶାର ସିନ୍ଦୁରା ଫାଟେ ।

ଲୋକପ୍ରିୟ ଲେଖା

To Top