କବିତା

ହଳିଆ ଗୀତ

Dr Dilip Kumar Swain's odia poem Haliaa Gita

ଏବେ କମ୍ପାନୀବାଲା ହକାରିଲେଣି
ତୋ ଦେହକୁ ତାଡ଼ି
ବସିବ ତତଲା ଲୁହା କାରଖାନା
ଗଦା ଗଦା ପାଉଁଶ
ଭକ୍‌ଭକ୍ ଧୂଆଁ ଭିତରେ
ବାଞ୍ଝ ହେବ ତୋ ବେଉଷଣ ମାଟି ।

ହଳିଆ ଗୀତ

ତୋତେ ମୁଁ ଜୁହାର ହେଉଚି ବିଲ
ବନ୍ଦ କରିଦେ ତୋ ଫଟାମାଟିର ଭୂଗୋଳ
ତୋ ମୃର୍ଦ୍ଧନା ଫଟେଇ ଉଛୁଳିପଡୁ ମୁନ୍ଦେ ପାଣି
ଧାନ ଗୋଟେ ପୋତି ଦେଉଚି
ତୁ ପାଲଟିଯାଆ ଲକ୍ଷ୍ମୀ ଠାକୁରାଣୀ !

ଆଉ କ’ଣ ଅଛି ମୋର
ତୋତେ ବିକିବିନି ବୋଲି
ବିକିଦେଲି ମାଇପର ଶଙ୍ଖା, ସିନ୍ଦୁକ
ଯଉତୁକ ରୂପାକାଚ !
ବି.ପି.ଏଲ୍. କାଡର଼୍ଖଣ୍ଡକ ନେ’
ଯୌତୁକ ଯନ୍ତ୍ରଣାରେ ଫେରି ଆସିଥିବା
ଝିଅର ଅବଶିଷ୍ଟ ଆୟୁଷ ନେ’
ମାଇପର ସିନ୍ଦୂର ଟୋପା ନେ’
ଧାନଟିଏ ପୋତି ଦେଇ ଯାଉଚି
ଭାତମୁଠାଏ ଦେ’ !

ଏବେ କମ୍ପାନୀବାଲା ହକାରିଲେଣି
ତୋ ଦେହକୁ ତାଡ଼ି
ବସିବ ତତଲା ଲୁହା କାରଖାନା
ଗଦା ଗଦା ପାଉଁଶ
ଭକ୍‌ଭକ୍ ଧୂଆଁ ଭିତରେ
ବାଞ୍ଝ ହେବ ତୋ ବେଉଷଣ ମାଟି ।

ଦେଖ୍‌ରେ ବିଲ
ସମସ୍ତେ ଗଲେଣି ଛାଡ଼ି
ଧାନ, ମୀନ, ପାନ
ଛେଳି ବିକି କଂସେଇକୁ
ମାଂସ ଖାଇବା ଲୋକ କ’ଣ ମୁଁ ?
ମାଟି ନୁହଁ ଗୁରୁବାରୀ ତୁ
କେମିତି ବିକିବି ତୋତେ କହ ?

ହେ ଭଗବାନ୍ !
ଏତେ ଧାନ ପୋତି ପୋତି
ମିଳୁନି ମୁଠାଏ ଭାତ
ଏତେ ମାଟି ଖୋଳି ଖୋଳି
ମିଳୁନି ଟୋପାଏ ପାଣି ।
ମୁଁ ଜାଣେ, ଏଣିକି ଧାନ ନୁହେଁ
ନିଦକୁ ପୋତିବାକୁ ହେବ ମାଟିରେ
ମୁନ୍ଦେ ପାଣି ପାଇଁ ଯିବାକୁ ହେବ
ତଳକୁ ତଳ, ଅତଳ, ବିତଳ, ପାତାଳ
ରସାତଳ ।

ଏଇଠି ଥାଉ ହଳଲଙ୍ଗଳ
ଫେରିବା ଯାଏଁ !

ଲୋକପ୍ରିୟ ଲେଖା

To Top