କବିତା

ହୋଇପାରନ୍ତାନି

Annapurna Mohanty's odia poem Hoipaarantaani

ସଜଳ ଦିନଗୁଡ଼ାକ
ଜଳଜଳ ନାଚିଲେ ଆଗରେ
କେମିତି ରହିହେବ
ଆଜିକାଲି ମୁଣ୍ଡ ପୋତି
ଅଚିହ୍ନା ଭାବରେ ?

ହୋଇପାରନ୍ତାନି

ପୋଛିପାରନ୍ତି କି
ଦୀର୍ଘଦିନ ଜମିଥିବା
ସ୍ମୃତି ବିସ୍ମୃତିର
ଫିମ୍ପିମରା ପୋଥି ଆଉ ପଥ
ଲିଭାଇ ପାରନ୍ତି ଯଦି
ଡାଏରୀର ସବୁ ପୃଷ୍ଠା
ନାଲିଗାର ଟାଣିଥିବା
କବିତା ଓ କଥା !

ସଜଳ ଦିନଗୁଡ଼ାକ
ଜଳଜଳ ନାଚିଲେ ଆଗରେ
କେମିତି ରହିହେବ
ଆଜିକାଲି ମୁଣ୍ଡ ପୋତି
ଅଚିହ୍ନା ଭାବରେ ?

ଭୁଲି ହୋଇ ପାରନ୍ତା କି ?
ଛାତି ତଳ ଦୀର୍ଘଶ୍ଵାସ
ଥରଥର ଅଧରର ସ୍ପର୍ଶ
ବାହୁଘେରା ବଳୟ ଭିତରେ
ସବୁ ଥାଇ ନ ଥିବାର
ସୁବର୍ଣ୍ଣ ବିଶ୍ୱାସ !

କେହି ଡାକୁଛି ତ ତାକୁ
ଡାକି ଡାକି ଫେରିଯାଉ
ଉଖାରି ରକ୍ତାକ୍ତ ନ କରୁ
ସ୍ମୃତି ସମୁଦ୍ରକୁ
ଅଶାନ୍ତ ଲହରି ପରି
ପିଟୁଥାଉ ମଥା
କହ, ଏ ସବୁକୁ ସହନ୍ତି କେମିତି ?
ଫେରାଇବି କହେ ସିନା
କାହାକୁ ଯାଚିବି ?

ଯେଉଁ ନିଆଁ ଜଳୁଥିଲା ହୁତୁହୁତୁ
ଗାଁ ସହରର ସୀମା ଡେଇଁ
ଅଭୁଲା ସ୍ନେହ ସୋହାଗରେ
କଳଙ୍କ ଯୋଡିହୋଇ
ପୋଛିନେଲା କେଉଁଦିନ ଆସି
ଏବେ ପାଉଁଶ ବଦଳରେ
ନାଆଁ ତା ବିଭୁତି !

ଭୁଲିଯିବି ପୋଛିଦେବି
ଲିଭାଇ ପାରିବି ଏସବୁ
ଯଦି କେହି ଠିଆ ହୁଏ
ମୋ ପଥରେ ସେତେବେଳେ
ରହିପାରିବି ପୂର୍ବ ଭଳି (!)
ମଥା ଟେକି ବାଂଛିତ ମୁଦ୍ରାରେ ।

ଲୋକପ୍ରିୟ ଲେଖା

To Top