କବିତା

ହୃଦୟ କଥା କହେ

କେଉଁଠୁ ଆରମ୍ଭ ଏକଥା
କେତେବାଟ (ଆହା !) ଚାଲିଗଲା
ଜୀବନର ଚିତା !

ହୃଦୟ କଥା କହେ

ମହୁ ମହୁ ବାସୁଥାଏ
ଏ ପବନ,
ମିଠା ବାସ୍ନାୟିତ ଚତୁଃପାର୍ଶ୍ୱ ମୋର ।
କିଏ ସେ ବିଞ୍ଚୁଛି ଏଠି
ଭଲ ପାଇବାର ନିରବିତ
ସ୍ନିଗ୍ଧ ଶିହରଣ !

ରୁହ, ଅଟକିଯାଅ
ନେବି ନାହିଁ ତମଠୁଁ ତିମିର
ଦେବି ନାହିଁ ଦୀଆଲି ଆଲୋକ
ମାଗିବିନି,
ଯାହା କେବେ ମାଗିନାହିଁ
ଜୀବନ କାଳରେ !

ଦେବି ବୋଲି ଦେବତାଙ୍କୁ ଅର୍ଘ୍ୟ
ଅତୁଠ ଲୁହ ନଦୀରେ
ସାରିଛି ସ୍ନାହାନ
ଛାଇରେ ଛାଇରେ ତମ
ରାଜକୀୟ ଭଙ୍ଗୀ ଉଙ୍କିମାରେ
ଭୋଲିଭାଲି “ବଉଦି” ମୁଁ ନୁହେଁ
ଭଳିଯିବି ବିବାକ ମିଛରେ ।

କେଉଁଠୁ ଆରମ୍ଭ ଏକଥା
କେତେବାଟ (ଆହା !) ଚାଲିଗଲା
ଜୀବନର ଚିତା !

ଅନ୍ତ ନାହିଁ ଏ ସବୁର
ନାହିଁ ଅନ୍ତାକ୍ଷରୀ
ବିତିଯାଇଥିବା ବିସ୍ମୃତିକୁ
ବିଛାଡ଼ିଛି ଆଗରେ ପଛରେ
ସାଉଁଣ୍ଟୁଛି ରହି ରହି
କୁଢ଼କୁଢ଼ ମଲ୍ଲୀ ଫୁଲ ପରି ।

ଲଢ଼େଇ କରୁଛି ନିଜ ସହ
ଦିନ ଦ୍ୱିପହରେ,
ଏକା ଏକା ନିରବତା ସାଥେ ଗୋଳ
ଛାତି ମୋର ଶ୍ରାବଣ କୋହରେ ।

ଏକା ଏଠି ଭୋଗ କରେ
ମିଳନର ଅମୃତ ଲଗନ
ବିରହୀ ବର୍ଷାକାଳ, ଈର୍ଷା କରେ
ମ୍ରିୟମାଣ ମାନିନୀ ଆଶ୍ୱିନ ।

ଛାଇ ପରି ଥାଏ କେହି
ଚବ ଚବ ଶୁଭୁଥାଏ
ଚଉକାର ପାଣି ।
ଏତେବେଳେ ହୋଇପାରେ କିଏ
ଦିଶିଯାଏ ରାଜକୀୟ ଠାଣି ।

ଚିକିମିକି ଜହ୍ନରାତି
ଭାରି ପ୍ରିୟ କବିଟିଏ ଥିଲେ
କବିତାର ରାଶି ରାଶି ଫୁଲ
କଥା ହୋଇ ଝରୁଥାଏ
ବିହ୍ୱଳିତ ସ୍ୱରେ ।

ସୁଖର ନାନାବିଧ ରାସ
ପଦ୍ମରେ କେବେ ତ
କେବେ ପଳାଶର ବାସ
ସଂସାରରେ ସୁଖ ପୁଣି
ଶୁଣାଇଲ ସନ୍ନ୍ୟାସରେ ସୁଖ
ସେ କବିଙ୍କୁ ଖୋଜୁଛି ମୁଁ
ଜାଳି ଦେଇ ଆଗମନୀ ଦୀପ ।

ଆସ, ମାନୀ ମାନନୀୟ
ଏ ପ୍ରାର୍ଥନା ଅନ୍ତଃସ୍ୱର, ଶବ୍ଦ ଅକ୍ଷର
କଥା କହେ ଅଶ୍ରୁରେ, କୋହରେ,
ତମେ ତ ଶିଖାଇ ସାରିଚ
ଶେଷ ହେଲେ ବାହାରର ସବୁ କଥା
ହୃଦୟ କଥା କୁହେ
ନିଜସ୍ୱ ସ୍ୱରରେ ।।

ଲୋକପ୍ରିୟ ଲେଖା

To Top