ଇସ୍ତାହାର

Manjurani Mishra's odia poem Istaahaara

ତପ୍ତ ଶରଶଯ୍ୟା
ଜୀବନର ସାମ୍ନା ରାସ୍ତା
କେତେ ପାଖାପାଖି
ଅଥଚ କେମିତି ଫାଙ୍କା
କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ
ଅପ୍ରାକୃତିକ ଭାରି ଶବ୍ଦଟିଏ

ଇସ୍ତାହାର

ଏହା କ’ଣ ଜୀବନର ଇସ୍ତାହାର
ନିରୂପିତ ଠିକଣାକୁ ଖୋଜିବାର ଲିପ୍ସା
ଅର୍ଦ୍ଧଦଗ୍ଧ ବହ୍ନିର ବଳୟେ
ଏହା କ’ଣ ଜୀବନର ସ୍ୱର୍ଗଦ୍ୱାର
ପ୍ରତୀକ୍ଷା ଯେଉଁଠି ଖାଲି ଯନ୍ତ୍ରଣାର
ତପ୍ତ ଶରଶଯ୍ୟା
ଜୀବନର ସାମ୍ନା ରାସ୍ତା
କେତେ ପାଖାପାଖି
ଅଥଚ କେମିତି ଫାଙ୍କା
କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ
ଅପ୍ରାକୃତିକ ଭାରି ଶବ୍ଦଟିଏ

ନଈପଠା ବନବିଥି ଆକାଶ ବିତାନ
ଭାରି ଚୁପ୍‌ଚାପ୍
ଅକସ୍ମାତ୍ ପକ୍ଷୀଟିଏ ଉଡ଼ନ୍ତା ଅବା
ନଈର ଡହ ଡହ ତାତିଲା ବାଲିରେ
ଆଞ୍ଜୁଳାଏ ତୃଷ୍ଣାର ସାନ୍ତ୍ୱନା
ପବନ ହିଲ୍ଲୋଳ ତଳେ
ଫୁଲଟିଏ ଗାଉଥାନ୍ତା ଗୀତ
ମୁଁ ଭୁଲନ୍ତି ମୋର ସେ
ବିକୃତ ଅତୀତ
କାହିଁ ସେପରି ତ କିଛି ନାହିଁ
ଚିହ୍ନା ଚିହ୍ନା ଦୃଶ୍ୟ

ସୃଜନୀର ମିଳନ ମୂର୍ଚ୍ଛନା
ନାଲି ନେଳି ଫୁଲ ପକା ଲତା
ଏଠି ସେଠି ଆଲୁଅର ମନ୍ଦ୍ରିତ କବିତା
ଏହା କ’ଣ ଜୀବନର ମହାକାବ୍ୟ
ରାତ୍ରୀ ଯେବେ ବିଷର ପିଆଲା
ମୌସୁମୀର ପ୍ରତି ଶବ୍ଦ
ଛାତିଥରେ ବତାସ ଖେଳାଏ
ତୁହିନ ଧବଳ ଜ୍ୟୋତ୍ସ୍ନା
ଆଙ୍କିଦିଏ ମିଳନର ମୃତ୍ୟୁ ଦାଗ
ସୁରଭିତ ଫୁଲଙ୍କ ଓଠରେ
ଏ କେଉଁ ନିସ୍ତବ୍ଧ ଦ୍ୱୀପ

ଏଠି କେଉଁ ଭୟଙ୍କର ଋତୁ
କାମନାର ନଦୀଟିଏ ଆତ୍ମହତ୍ୟା କରେ
ମୃତ୍ୟୁର କୈବର୍ତ୍ତମାନେ ଓଟାରି ନିଅନ୍ତି
ସଂଜ୍ଞାହୀନ ମୁହୂର୍ତ୍ତ ସବୁକୁ
ବୟର ତ୍ରୟୋଦଶୀ ଜହ୍ନ
ଅତୁଠରେ ସ୍ନାନ ସାରେ
ବିଳମ୍ୱିତ ବାସର ଲଗ୍ନରେ
ମୋ ସ୍ମୃତିର ବିହଙ୍ଗମାନଙ୍କୁ
ଡେଣା କାଟି କବର ମୁଁ ଦିଏ ।
ସମୟର ସାଉଁଟା ବାଲିରେ ।

ଲୋକପ୍ରିୟ ଲେଖା

To Top