କବିତା

ଜାଗୃତି

Prajna Paramita Mohanty's odia poem Jaagruti

ଏକ ଉଦ୍‌ଭ୍ରାନ୍ତ ଭାବନା ଓ ଭ୍ରାନ୍ତି,
ଭ୍ରାନ୍ତିରୁ କ୍ଳାନ୍ତି….କ୍ଳାନ୍ତିରୁ ଆସକ୍ତି
ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି
ଅଥଚ ନାହିଁ ସେଠି ଶାନ୍ତି ।

ଏକ ଅବଚେତନ ମନ, ଏକ ଖିଆଲି ଢଙ୍ଗ,
ଏକ ଉଛୁଳା ବୟସର ଉତ୍ତାଳ ତରଙ୍ଗ ।

ତରଙ୍ଗାୟିତ ସମଗ୍ର ମନ-ମସ୍ତିଷ୍କ-ଅଙ୍ଗ ।

ଏକ ଉଦ୍‌ଭ୍ରାନ୍ତ ଭାବନା ଓ ଭ୍ରାନ୍ତି,
ଭ୍ରାନ୍ତିରୁ କ୍ଳାନ୍ତି….କ୍ଳାନ୍ତିରୁ ଆସକ୍ତି
ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି
ଅଥଚ ନାହିଁ ସେଠି ଶାନ୍ତି ।

ଖୋଜୁଛି ସେ, ଅଣ୍ଡାଳି ଚାଲୁଚି ତା’ ଚତୁଃପାର୍ଶ୍ଵକୁ
ଦୃଷ୍ଟି ଫେରାଇ ଚାଲିଛି, ବିସ୍ଫାରିତ ହେଲା ଯାଏଁ ଚକ୍ଷୁ ।

ଭାବ; ଭାବରେ ଲାଗିଲାଣି ଡେଣା
ନ ହୋଇ ସେ ବାଟବଣା
ଏଇ ଉଡିଯିବ ପକ୍ଷୀରାଜ ଘୋଡ଼ା ପରି-
ସପ୍ତ ମହାଦେଶ, ପଞ୍ଚମହାସାଗର ପାରି
ଖେଦି ପକାଇବ ସାରା ପୃଥିବୀକୁ,
ନ ଥିବ କିଛି ଅପହଞ୍ଚ, ନିଷିଦ୍ଧ ଇଲାକା, ବା ପ୍ରବେଶନିଷେଧାହେବାକୁ ।

ସେ ପରା ଅଦୃଷ୍ଟ !

ସେ ଯେ ତା’ ଅଭୀଷ୍ଟ ।

ଅଦୂରେ ବୁଲୁଛି ଅଦୃଶ୍ୟ ହୋଇ,
ଏଇ ଅଛି ଆଉ ଏଇ ନାହିଁ ।

ତୋଳି ଧରିବାକୁ ଇଚ୍ଛା – ଅଥଚ ଧରିପାରିବି ନାହିଁ ।
କାଇଁ ? କ’ଣ ପାଇଁ ?

ତା’ର କ’ଣ ରୂପ, ରଙ୍ଗ, ଗନ୍ଧ ଅଛି କି ?
ତା’ର କ’ଣ ଭାବ, ଭୀତି, ସ୍ଥିତି ଅଛି କି ?

ସେ ପରା ଏକ ଅନୁଭବୀ ସତ୍ତା !
ସେ ପରା ଏକ ନିର୍ଣ୍ଣୟୀ ବାର୍ତ୍ତା !

ଉଠ ! ଏ ପର୍ଯ୍ୟନ୍ତ କ’ଣ ଦେଖୁଅଛୁ ସ୍ଵପ୍ନ ।
ଏ ପର୍ଯ୍ୟନ୍ତ କ’ଣ ସେଠି ଅଛୁ ମଗ୍ନ ।

ଫେରି ପାଆ ସ୍ଥିତି ।
ଫେରି ପାଆ ପ୍ରକୃତି ।

ପୁଣି ଏକ ପ୍ରସ୍ତୁତି,
ନେଇ ତା’ର ପ୍ରକୀର୍ତ୍ତି,
ଆସୁଅଛି “ଜାଗୃତି” ।

ଲୋକପ୍ରିୟ ଲେଖା

To Top