କବିତା

ଯାଉଯାଉ

Annapurna Mohanty's odia poem Jaaujaau

ଅନେକ ଉପେକ୍ଷାକୁ
ଦେହସୁଆ କରିବାକୁ ହୁଏ
ଚଳୁ କରିବାକୁ ପଡ଼େ
ଅବହେଳା ଅନାଦର
ବିଳମ୍ୱିତ କୁଶଳ ଖବର
ଅନାଗ୍ରହ ଆଚରଣ ସତ୍ତ୍ୱେ
ମିଳେନା ଉତ୍ତର ।

ଯାଉଯାଉ

ଅଲୋଡ଼ା ଦୁଃଖ ସହ
ନିହାତି ଲୋଡ଼ାପଣ
ଜାହିର କରିବାର ଜୀବନ ତ
ଆମ ବାପାମାନଙ୍କର ।

ଅନେକ ଉପେକ୍ଷାକୁ
ଦେହସୁଆ କରିବାକୁ ହୁଏ
ଚଳୁ କରିବାକୁ ପଡ଼େ
ଅବହେଳା ଅନାଦର
ବିଳମ୍ୱିତ କୁଶଳ ଖବର
ଅନାଗ୍ରହ ଆଚରଣ ସତ୍ତ୍ୱେ
ମିଳେନା ଉତ୍ତର ।

ପ୍ରଶ୍ନ ଜାରିଥାଏ ଅବସନ୍ନ ସ୍ୱରେ
ଦିନ ମାସ ବର୍ଷକ ପରେ ବି ।
କେତେ ବେଶୀ ଅସହାୟ
ସେତେବେଳେ ବାପା
ସର୍ବସ୍ୱ ଲୁଟିନେଲା ପରେ
ନିଃସ୍ୱ ରେଳଯାତ୍ରୀଟି ପରି ନା
ଘର ପୋଡ଼ିଗଲା ପରେ
ଦାଣ୍ଡରେ ବସିଥିବା
ସ୍ତ୍ରୀ, ପୁଅ, ଝିଅଙ୍କ ମେଳରେ
ଥୁଣ୍ଟାଟିଏ ଭଳି ।

କେହି କଳି ପାରନ୍ତିନି
ନିଜେ ନ ଆସିବା ଯାଏ
ସେ ସ୍ଥିତି, ବୟସକୁ ।
ସମୟ ମୁହଁ ମୋଡ଼ିଦିଏ
ପୁଅ କହେ ଧ୍ୟାନ କର
ବୀଜମନ୍ତ୍ର ଜପ, ମାଳି ଗଡ଼ାଅ
ଅଥବା ପିଣ୍ଢା କୋଣରେ
ବସିଥାଅ ଏକାଏକା
ମୁଣ୍ଡ ଖାଆନି କଥା ଅକଥାରେ ।
ତଥାପି ସରେନା ସମୟ
ଭିତରର ଇଚ୍ଛା
ଆରୋଗ୍ୟ କାମନା କରେ
ସବୁ ରୋଗ ଦେହରେ ଥିଲେ ବି ।

ଦିନ ଥିଲା
ଯୌବନରେ ଜୀଇଁବାର
ଅର୍ଥ ଥିଲା,
ଖ୍ୟାତି, କ୍ଷମତା ଥିଲା
ସାଇତିବା ଭଳି
ଭିନ୍ନ ଭିନ୍ନ ସ୍ମୃତି ଥିଲା ।

ଘା’ ଶୁଖିଗଲା ପରେ
ଚିହ୍ନ ଚିଆଁ ଦେବା ପରି
ମନକୁ ଉଖୁରାଉ ଥିଲା ।

ଲେଉଟିବ ନାହିଁ ଆଉ
ସମୟ, ସାମର୍ଥ୍ୟ, ଅର୍ଥ, ସାହସ
ତଥାପି ଜୀଇଁବାର ଅସୁମାରି ଇଚ୍ଛା
ଖୋଜୁଥାଏ ଯାଉ ଯାଉ
ଲମ୍ୱା ଆୟୁଷ ।।

ଲୋକପ୍ରିୟ ଲେଖା

To Top