କବିତା

ଜଗା ହାତେ ରହୁ ପଘା

Er Bidyadhar Panda's odia poem Jagaa Haate Rahu Paghaa

ବଢ଼େ ନିତି ପାପ ପ୍ରକୃତୀର କୋପ
ଧର୍ମଠୁଁ ହୁଏ ଆଗୁଆ
ସଂସାର ତୁମର ହୁଏ ନାରଖାର
ନିଦରେ କି ଗଲ ଶୋଇ?

ଜଗା ହାତେ ରହୁ ପଘା

କାଳିଆ ଠାକୁର ନହୁଅ ନିଷ୍ଠୁର
ଧର ନିଜ ହାତେ ପଘା
ଅନ୍ୟାୟ ଅନିତି ବଢ଼େ ନିତି ନିତି
ଦୟାବହି ରଖ ନିଘା
ନବ କଳେବର ହେଲାଣି କେବର
ଏବେ କଣ ଅଛ ଛୁଆ?
ବଢ଼େ ନିତି ପାପ ପ୍ରକୃତୀର କୋପ
ଧର୍ମଠୁଁ ହୁଏ ଆଗୁଆ
ସଂସାର ତୁମର ହୁଏ ନାରଖାର
ନିଦରେ କି ଗଲ ଶୋଇ?
ଅନନ୍ତ ଶୟନ ସମୟ ଏ ନୁହେଁ
ଉଠିଯାଅ ଦୁଇ ଭାଇ
ଅନ୍ନ ଦାତା ଯିଏ ଅନ୍ନ କଷ୍ଟ ସହେ
ପରିବାର ପାଏ ଦୁଃଖ
ଚୌଷଠି ପଉଟି କିଏ ଦେବ କୁହ?
ଚାଷୀ ହୋଇଲେ ବିମୁଖ
ପୋକରା ଚାଉଳ ଅନ୍ନ ଲାଗି ହୁଏ
ଜାଣି କି ହେଉନି ସ୍ୱାଦ?
ଚାଷୀକୂଳ ମଲେ ଛପନ ଭୋଗରେ
କିଏ ଭରିବ ସୁଆଦ?
ସ୍ୱଚ୍ଛ ଭାରତର ଯୋଜନା ସୁନ୍ଦର
ଶ୍ରୀ’ ନାହିଁ ଶ୍ରୀମନ୍ଦିରେ
ନିତିକ୍ରାନ୍ତି ସହ ଖେଳ ଖେଳାଯାଏ
ଲୁଚିଛ କେଉଁ କନ୍ଦରେ?
ଭକତ ହୃଦୟେ ଭରି ଯାଏ କୋହେ
ଆଖି କରେ ଛଳଛଳ
ପାଚକ ପୂଜକ ଦଇତା ସେବକ
ଦେଖାନ୍ତି ବାହୁର ବଳ
ପ୍ରକୃତି ମାଆ ବି କଷିଲାଣି ଚାବି
ତାପମାତ୍ରା ରଖି ଉଚ୍ଚା

ମହାନଦୀ ପାଣି ଶୁଖି ଆସିଲାଣି
ଭୂମି ଜଳ ସ୍ତର ନିଚ୍ଚା
ଲଘୁଚାପ ବିନା ବର୍ଷା ହେବା ମନା
କିଏ କରିଛି ନିୟମ?
କୀଟନାଶକରେ କୀଟ ମରୁନାହିଁ
ମଣିଷ ଭେଟୁଛି ଯମ
ବିଭିନ୍ନ ପ୍ରକାର ରୋଗ ପୋକ ଆସି
ଚାଷୀକୁ କରେ ହତାଶ
ଆତ୍ମହତ୍ୟା ଭଳି ନିଷ୍ପତି ନିଅନ୍ତି
ମୋହ ମାୟା କରି ଶେଷ
ଗଣ ବଳାତ୍କାର ଗଣ ଆତ୍ମହତ୍ୟା
ନଥିଲା ଆମ ରାଇଜେ
ନୂଆ ନୂଆ ସବୁ ଅଘଟଣ ଘଟି
ଅସମ୍ଭବ କୃତୀ ସାଜେ
ଅଙ୍ଗ, ବଙ୍ଗ ଆଉ କଳିଙ୍ଗ ମଧ୍ୟରେ
କଳିଙ୍ଗ ଥିଲା ଉନ୍ନତ
କଳାରେ ଉତ୍କର୍ଷ ହେବାରୁ ଉତ୍କଳ
ନାମଟି ଥିଲା ବିଖ୍ୟାତ
ଭୁଲିଲେ କେମିତି ପୁର୍ବ ପୁରୁଷର
ସ୍ୱାଭିମାନ ଭରା ଗାଥା
ଇତିହାସ ଦେଖି ଲାଗୁଛି ସରମ
ନଇଁ ଯାଏ ସବୁ ମଥା
ନୁହେଁ କିବା ଆମ୍ଭେ ତାଙ୍କର ଦାୟାଦ
କାହିଁ ଗଲା ତେଜ ବଳ?
ଅସହାୟ ଆଜି ଓଡ଼ିଆ ଜାତିଟି
ପାଉନାହିଁ ଥଳକୂଳ
ଆମ ନିଜ ଭାଷା ପାଇଁ ଆମେ ନିଜେ
ବସି କରୁ ହରତାଳ
ବର୍ଷବର୍ଷ ଧରି ଲଢ଼ିଲେ ବି ସୁଧା
ମିଳୁନି କିଛି ସୁଫଳ

ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଦେଖି
ହୁଏ ପୁର୍ବ ଅନୁମାନ
ଯାହାକିଛି ଅଛି ଆଜିର ଦିନରେ
ଦିନୁ ଦିନ ହୁଏ କ୍ଷୀଣ
ଯୁଗ କେଇଟାରେ ତାଲା ଝୁଲୁଥିବ
ବୁଢ଼ିବ ଓଡ଼ିଆ ଭାଷା
ସ୍ୱାଭିମାନ ପୋଡ଼ି ପାଉଁଶ ହୋଇବ
ହେବା ସବୁ ଲୋକ ହସା
ବେଳ ଥାଉଁ ବନ୍ଧ ବାନ୍ଧ ହେ ଓଡ଼ିଆ
ଉଠ ନକରିକି ମଠ
ମଧୁ ଗୋପବନ୍ଧୁ ସତେ କି ଆସିବେ
ପଢ଼ାଇବେ ନିତି ପାଠ?
ସାତ ହଜାରରୁ ଉର୍ଦ୍ଧ ବିଶ୍ୱ ଭାଷା
ଦୁଇଶ’ ଗଲାଣି ଡ଼ୁବି
ଓଡ଼ିଆ କି ଦିନେ ନିଶ୍ଚିହ୍ନ ହୋଇବ?
ଛନକା ପଶୁଚି ଭାବି
ସବୁ ଶୋଇଗଲେ ଅସମ୍ଭବ ନୁହେଁ
ମାତ୍ର କେଇ ଦଶନ୍ଧିରେ
ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଲୋପ
ହେବ ଆମ ଓଡ଼ିଶାରେ
ସମସ୍ତେ ଇଂରାଜୀ ମାଧ୍ୟମ ପଢ଼ିବେ
ଲୋକାଚାର ଧର୍ମ ଭୁଲି
ଗଡ଼ ଏକ୍ସକିଉଜ୍ କହିକି କାଳିଆ
ଚାରିପଟେ ଯିବେ ବୁଲି
ବଡ଼ପଣେ ତୋର କଳଙ୍କ ଲାଗିବ
ଭଗତ ପାଇଲେ ଦଗା
କାଳିଆ ଠାକୁର ନହୁଅ ନିଷ୍ଠୁର
ଧର ନିଜ ହାତେ ପଘା

ଲୋକପ୍ରିୟ ଲେଖା

To Top