କବିତା

ଜହ୍ନ ଜଣାଣ

Dr Dilip Kumar Swain's odia poem Jahna Janaana

ଜହ୍ନରାତି କଥା ଭାବି ଭାବି
କିଶୋରୀଝିଅ ଗୋଡ଼ ପୂରେଇଦେବ ଚୁଲ୍ଲୀରେ
ଭାବୁଚକି ?
ବାରୀକବାଟ ଖୋଲି ଯିବ ଆମ୍ବତୋଟାକୁ ?

ଜହ୍ନ ଜଣାଣ

ଭାତହାଣ୍ଡିର ଟକମକ ଫୁଟୁଥିବା ପାଣି ଭିତରେ
ତରଳି ଯାଉଛି ଜହ୍ନ ।

ବାପା ଯୋଗିନୀଖିଆ
ଯାଇଚି ଚାଉଳ ଆଣିବାକୁ
ଦି’ଟଙ୍କିଆ ଚାଉଳକୁ ସାହୁ ଦୋକାନରେ ବିକି
ଘୁମଉଥିବ ଦେଶୀ ଭାଟି ବାରଣ୍ଡାରେ ।
ତା’ ମୁହଁର ଫେଣକୁ ଚାଟି ଖାଉଥିବେ କୁକୁର
ଏଠି ଭୋକ ଗର୍ଜୁଚି ଭାତହାଣ୍ଡିରେ
ତୁନି କରିବାକୁ ମିଳୁନି ମୁଠେ ଚାଉଳ ।

ଜହ୍ନରାତି କଥା ଭାବି ଭାବି
କିଶୋରୀଝିଅ ଗୋଡ଼ ପୂରେଇଦେବ ଚୁଲ୍ଲୀରେ
ଭାବୁଚକି ?
ବାରୀକବାଟ ଖୋଲି ଯିବ ଆମ୍ବତୋଟାକୁ ?

ଏ ଚାଳଘରର ଚୋରା ବାଟ ଦେଇ
ଓହଳିପଡ଼େ ଜହ୍ନରାତି ।
ଭରା ଯୌବନରେ ଝାଉଁଳି ପଡିଥିବା ଝିଅ ଦେହରେ
ନଦିହୁଏ ଜହ୍ନ ।
ଭୋକରେ ଥରୁଥିବା ତା’ ଭାଇର ଦେହ
ଜର ମୁଣ୍ଡେଇ ଶୋଇଥିବା ବୋଉ
ଫେରି ନ ଥିବା ବାପା କଥା ଭାବୁ ଭାବୁ
ଜହ୍ନରାତି ଫେରିଯାଏ
ସାଥିରେ ନେଇ ଦୁଇଠୋପା କିଶୋରୀ ଲୁହ ।

ଝିଅ ଏବେ ଜହ୍ନ ଜଣାଣ ଗାଇପାରେ
ଏ ଜହ୍ନ, ତମେ ଫେରେଇଆଣ ମୋ ବାପାକୁ
ବୋଉ ମାଠିଆ କାଖେଇ ଯାଉ ନଈକୂଳ
ଦୁଧଭାତ ଖାଇ ଭାଇ ଖୋଜିଯାଉ
କିଆବଣରେ ହଜିଯାଇ ଥିବା କ୍ରିକେଟବଲ ।
ଜହ୍ନଗୋ’ ତମେ
ଭାଙ୍ଗିଦିଅ ପ୍ରସ୍ତାବସବୁ ବୁଢାବରଙ୍କର
ବଇଁଶୀଆଳ ଗୀତରେ ନାଚିଉଠୁ ଏ ରାତି
ଜହ୍ନର ଜହର ପିଇ ଫେରିଆସୁ ଫେରିବାଲା
ଚନ୍ଦ୍ରନିଶାରେ ଶୋଇପଡନ୍ତୁ ପ୍ରଜାପତି
ଆଜିର ରାତିରେ ।

ଜହ୍ନ ତୁ ଜାଣିଥା
ଘରେ ଭୋକ ହାଣ୍ଡିଏକୁ
ଲୁହ ହାଣ୍ଡିଏ ।

ବାପା ଆଗେ ଫେରନ୍ତୁ
ଆଉ ସବୁ ପରେ ।

ଲୋକପ୍ରିୟ ଲେଖା

To Top