କବିତା

ଜମି ଯାଇଥିବା ବରଫ ସମ୍ପର୍କରେ

Mrutyunjay Patra's odia poem Jamijaaithiba Barapha Samparkare

ଠିକ୍ ଯେମିତି –
ମୋ ହୃଦୟରୁ ପ୍ରିତିଭରା ଝରଣା
ଏବେ ଆଉ ଝରୁନାହିଁ ;
ବୁକୁତଳେ ଜମି – ଜମି ବରଫ ହେଲାଣି ।

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ
ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ
କୁଶେଇ ନଦୀ କୂଳେ କୂଳେ
ପଉଷର ପୂନେଇ ମେଳାରେ ।

ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ
ଏଇ ଦେଖ,
ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା;
ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ
ବସା ଲେଉଟାଣି ବେଳ
ମା’ ଚଢ଼େଇଟା ଆହାର ଆଣିବ ।

ତୁମେ ଗଲା ପରେ
ବହୁଦିନୁ ନଈକୂଳେ ଯାଇନାହିଁ ।
ପଉଷଟା କେବେ ଆସେ କେବେ ଯାଏ
ଜାଣିପାରେ ନାହିଁ।
ତୁମେ ଦେଖାଇଥିବା ତାଳଗଛରେ
ବାଇ ଚଢ଼େଇର ବସା ଆଉ ନାହିଁ ।

ସଡ଼କ କଡର ବିଲରେ
ଟୋକାଟେ ହଳ ଯୋଚିଥିଲା।
ତାକୁ ବାଇଚଢ଼େଇ କଥା ପଚାରିଲି ;
ଡେମା ଡେମା ଆଖିରେ ମୋତେ ଘଡ଼ିଏ ଚାହିଁଲା
ଶେଷକୁ କହିଲା –
ବାଇ ଚଢ଼େଇଟା ପୁଣି କି ଚଢ଼େଇ ?
ମୋତେ ଜଣା ନାହିଁ ।

ନଈକୁ ଅନେଇଲି, ପାଣି ବୋହୁ ନାହିଁ ।
ଋତୁ ବୋଧେ ବଦଳିଛି,
ଆଗଭଳି ଆତଯାତ ହେଉନାହିଁ ।
ଅଥବା ଆଖପାଖ କାରଖାନାର
ଆଲକାତରା ଭଳି ଗାଢ଼ କଳା ରଙ୍ଗର ପାଣି
ଶିଉଳି ଓ ଗୁଣ୍ଡ ଜମି ପଥର ହେଲାଣି ।
ଠିକ୍ ଯେମିତି –
ମୋ ହୃଦୟରୁ ପ୍ରିତିଭରା ଝରଣା
ଏବେ ଆଉ ଝରୁନାହିଁ ;
ବୁକୁତଳେ ଜମି – ଜମି ବରଫ ହେଲାଣି ।

ଲୋକପ୍ରିୟ ଲେଖା

To Top