କବିତା

ଜଙ୍ଗଲ

Manmath Kumar Dalei's odia poem Jangal

ଜଙ୍ଗଲ ଆଜି ରକ୍ତାକ୍ତ
ମଣିଷର ଟାଙ୍ଗିଆ ଚୋଟରେ ।

ଜଙ୍ଗଲ

ଜଙ୍ଗଲ ଦେଖିଲେ
ମୋତେ ଭାରି ଭଲ ଲାଗେ,
ତା’ର ସବୁଜ ମାଂସପେଶୀ,
ଚଉଡା ଛାତି, ବଳିଷ୍ଠ ବପୁ,
ବର୍ଷାର ଗଜଲ୍, ଗ୍ରୀଷ୍ମର ଛାଇ,
ପାହାଡ଼ର ଗପ, ନଈର ଶାୟରୀ,
ତା’ର ଆଗ ପଛ ତଳ ଉପର ସବୁ କିଛି ।

ଜଙ୍ଗଲ ହିଁ ଆମ ଜୀବନର ମାନଦଣ୍ଡ,
ଜଙ୍ଗଲ ହିଁ ବୋଳି ଦିଏ ଆକାଶରେ ଆକାଶେ ଅମୃତ,
ପତ୍ରର ଛପର ତଳେ ଗଢ଼ିଦିଏ ସ୍ଵର୍ଗ,
ଆକାଶର ପ୍ରଶସ୍ତ ଡାଳରୁ
ତୋଳି ଆଣେ ଘନକଳା ସୁଶୀତଳ ମେଘ ।

ତା’ର କୁହୁକ ମନ୍ତ୍ରରେ
ପବନ ବୁଲି ବୁଲି ଗୀତ ଗାଏ
ଡେଇଁ ଡେଇଁ ଏ ଡାଳରୁ ସେ ଡାଳ,
ମାଟିର ପାଦ ତଳେ
ଲୋଟିଯାଏ ଝରଣା, ଖସି ପଡେ ଆକାଶ,
ନଇଁ ପଡନ୍ତି ଜାତି ଜାତି ବୃକ୍ଷ
କାଖରେ କାଖେଇ ଅମୃତ କଳସ ।

ଜଙ୍ଗଲ ଆଜି ରକ୍ତାକ୍ତ
ମଣିଷର ଟାଙ୍ଗିଆ ଚୋଟରେ ।

ଯେଉଁ ରକ୍ତରେ ମଣିଷ ହୋଇଥିଲା ବଳବାନ୍
ଝର ଝର ବୋହି ଚାଲିଛି ସେହି ସବୁଜ ରକ୍ତ,
ଯେଉଁ କାନ୍ଧରେ ବସି ଚାଲୁଥିଲା ରାସ୍ତା
ଭାଙ୍ଗି ଯାଇଛି ତା’ର ସେହି ବିଶାଳ କାନ୍ଧ,
ଯେଉଁ ଆଖିରେ ଦେଖି ଶିଖିଥିଲା ଦୁନିଆ
ଫୁଟି ଯାଇଛି ତା’ର ସେହି ଚକାଡୋଳା ଆଖି,
ଲିଭି ଲିଭି ଯାଉଛି ଚୁଲି, ଫୁସୁରି ଗଲାଣି ଝିଙ୍କା ।

ଆମେ ବୋଧେ ଭୁଲିଗଲୁଣି ଜଙ୍ଗଲର ସବୁଜ ହସ୍ତାକ୍ଷର,
ଜଙ୍ଗଲ କିନ୍ତୁ ଭୁଲିପାରିନି ମଣିଷକୁ….

କେମିତି ଯେ ଭୁଲିବ,
ମାଆ କ’ଣ କେବେ ଭୁଲିପାରେ ତା’ର ସନ୍ତାନକୁ,
ପାହାଡ କ’ଣ ଭୁଲି ପାରିବ ନଈକୁ,
ନା ସାଗର ଭୁଲି ପାରିବ ଢେଉକୁ ।

ଜଙ୍ଗଲ ଏବେ ବି ସାଇତି ରଖିଛି
ଆମ ଆଦିମ ସଭ୍ୟତାର ବଳକା ପ୍ରମାଣପତ୍ର,
କିଛି ଅନ୍ଧକାର ଗୁମ୍ଫା, କିଛି ଦରମଲା ନଈ;
କିଛି ନିଃସହାୟ ଗଛ, କିଛି ଦରଭଙ୍ଗା ଛାଇ;
କିଛି ଟଳମଳ ପାଦ, କିଛି ଅଧା ଗଢ଼ା ପ୍ରିତୀ,
କିଛି ଆଦିବସୀ ଗୀତ, ମହୁଲି ମହୁଲି ।

ସେତେବେଳେ ଗଛମାନଙ୍କ ଗହଳି ଭିତରେ
ଶାନ୍ତିରେ ନିଶ୍ଵାସ ମାରୁଥିଲା ମଣିଷ,
ଆଜି ମଣିଷମାନଙ୍କ ଗହଳି ଭିତରେ
ଅଣନିଶ୍ଵାସୀ ହୋଇଯାଇଛି ଗଛ ।

ଆଖି ଖୋଲିଦେଲେ ଆଖି ଆଗେ ନାଚିଯାଏ
କଂକ୍ରିଟ୍ ଶୌଧମାନଙ୍କର ବିଶାଳ ପଟୁଆର
ଆଖି ବୁଜିଦେଲେ ଆଖି ପଛପଟେ ଦିଶିଯାଏ
ଗଛମାନଙ୍କର କୁଢ଼ା କୁଢ଼ା ଶବ ।

ବନ ମହୋତ୍ସବର କୋମଳ ସ୍ପର୍ଶରେ
ହୁଏତ ପୁଣିଥରେ ହସି ଉଠିବ ଗଛଙ୍କ ଶ୍ମଶାନ,
ଉତ୍ସବ ମୁଖର ହୋଇଉଠିବ ନୂତନ ଅରଣ୍ୟ ,
ହୁଏତ ପୁଣିଥରେ ଟାଙ୍ଗିଦେଇ ଆସିବା ଆମେ
ମହଣ ମହଣ ଦୁଃଖ ତା’ର ଶାଗୁଆ କାନ୍ଥରେ,
ଶୀତଳ ଛାଇ ତଳେ ଶୁଆଇ ଦେଇ ଆସିବା ଯେତେ ସବୁ ଯନ୍ତ୍ରଣା ।

ବୃଦ୍ଧାଶ୍ରମର ନିବୁଜ୍ କୋଠରୀ ଭିତରେ ବନ୍ଦୀ ଆମ ଇଷ୍ଟ ଦେବତା,
ସାଗରର ଅତଳ ଗର୍ଭରେ ହଜିଯାଇଛି ଆମ ସମ୍ପର୍କ,
ପୃଥିବୀର ଧୂଷର ମାଟିରେ ମିଶିଯାଇଛି ଆମ ପରମ୍ପରା,
ଆକାଶରେ ଦିଗଭ୍ରଷ୍ଟ ହୋଇ ଉଡି ବୁଲୁଛି ଆମ ପ୍ରେମ,
ହଜି ଯାଉଥିବା ଅଭୁଲା ସମ୍ପର୍କ,
ଭୁଲି ଯାଉଥିବା ନିଆରା ପରମ୍ପରା;
ଉଡି ବୁଲୁଥିବା ପ୍ରସ୍ପୁଟିତ ପ୍ରେମ,
ଏସବୁର ସମାହାର ବୋଧହୁଏ ଗୋଟିଏ ଜଙ୍ଗଲ ।

ଲୋକପ୍ରିୟ ଲେଖା

To Top