କବିତା

ଜଙ୍ଗଲ ପ୍ରେମିକ

Dr Dilip Kumar Swain's odia poem Jangal Premika

ଏ ଜଙ୍ଗଲ ମୋତେ ଉତ୍ତେଜିତ କରେ
ବସନ୍ତ ଆସିଲେ ଏଠି ଗଛ ମାନେ ନୂଆ ଶାଢ଼ୀ ପିନ୍ଧି
ପ୍ରେମିକା ପ୍ରେମିକା ଲାଗନ୍ତି ।

ଜଙ୍ଗଲ ପ୍ରେମିକ

ଜଙ୍ଗଲକୁ ଭଲ ପାଇବା କ’ଣ ସହଜ କଥା
ଏଇ ଗଛମାନେ ଆମର ପୂର୍ବ ପୁରୁଷ ଅନେକ ପୁଣ୍ୟରୁ ସେମାନେ ଗଛ
ଆମେ ମଣିଷ ।

ମଣିଷ କାହିଁଙ୍କି ଲମ୍ବି ଯାଏ ଜଙ୍ଗଲ ଆଡକୁ
ପତ୍ରର ଫାଙ୍କରୁ ଚହଲି ଯାଉଥିବା ସୂର୍ଯ୍ୟରେଣୁ
ପକ୍ଷୀଙ୍କ କୋରସ୍
ଡାକିନିଏ ଏକ ଅନନ୍ତ ଶୀତଳ ପ୍ରଦେଶକୁ
ଏଇଠି କଙ୍କି ,ପ୍ରଜାପତିଙ୍କ ସଭାରେ
ଶୁଖିଲା ପତ୍ରଙ୍କ ସାଏରୀ
ଜହ୍ନରାତିରେ ଏ ଜଙ୍ଗଲ ନିରବ ପ୍ରେମିକ ପରି
ଛାତିରେ ଜାକି ଧରି ସବୁଜ ଦୁକୁଦୁକି
ପିଇଯାଏ ନୀଳବିଷ ତା’ ସବୁଜ ଓଠରେ ।

ଏ ଜଙ୍ଗଲ ମୋତେ ଉତ୍ତେଜିତ କରେ
ବସନ୍ତ ଆସିଲେ ଏଠି ଗଛ ମାନେ ନୂଆ ଶାଢ଼ୀ ପିନ୍ଧି
ପ୍ରେମିକା ପ୍ରେମିକା ଲାଗନ୍ତି ।

ଏ ଜଙ୍ଗଲ ବାସ୍ନାମୟ , ପ୍ରେମମୟ , ମହୁମୟ
ପ୍ରେମର ଦେବୀ ଜଣେ ତିଆରିଛି ଏ ସବୁଜ ନଅର
ବନ ଫୁଲର ବାସ୍ନାକୁ ଦେହରେ ବୋଳି
ତ୍ରସ୍ତ ହରିଣୀର ଆଖିରେ ତୁମର
ବନ୍ଦୀ ହୋଇଛି ବସନ୍ତ ।

ହେ ମୋର ଜଙ୍ଗଲ ପ୍ରେମିକା
ଛାଡି ଆସ ପ୍ରିୟଜନ, ବସ୍ତି ଓ ସହର
ଏଇ ଜଙ୍ଗଲରେ ତୋଳିଥିଲେ ପ୍ରଣୟର ଘର
ସବୁଜ ପତ୍ର ପରି ଶୋଇଥିଲେ ବସୁଧା ଛାତିରେ
ଧାଙ୍ଗଡୀଙ୍କ ମେଳାରେ ତମେ ନାଚିଥିଲା ହାତଛନ୍ଦି
ତମ ନାଚରେ ଥରି ଉଠିଲା ଜଙ୍ଗଲର ଛାତି
ବେଣୀ ଫୁଲ ଫିଟିଗଲା ଝରଣା ଛାତିରେ
ତମ ଗୀତରେ ନିଶାସକ୍ତ ହେଲେ ପକ୍ଷୀଦଳ
ପାଦରୁ ରକ୍ତ ଝରି ପଥର ପିନ୍ଧିଲା ପୀତାମ୍ବରୀ ପାଟ
ତମେ କ୍ରମଶଃ ପାଲଟିଗଲ ରକ୍ତମୁଖା ଦିଗବଳୟ
ତମେ ରୁଦ୍ରାଣୀ , କାତ୍ୟାୟନୀ , ଯୋଗିନୀ , କିଚକେଶ୍ଵରୀ
ଶବରୀବାଳୀ , ସହଜ ସୁନ୍ଦରୀ, ଦେବୀ ବୀଣାପାଣି
ମୁଁ ଫୁଙ୍କିଦେଲି ନାଉତୁମ୍ବା ବଜାଇଲି କେନ୍ଦରା
ମାଦଳ ଓ ମହୁଲ ଧୂନ୍‌ରେ ମାତାଲ ହେଲା ଜଙ୍ଗଲ
ତୁମକୁ ଶାନ୍ତି ହେବାକୁ କିଏ ଯାଚିଲା ମହୁଫେଣା
ନାଲିଗଂଜା , ପୋଡପିଠା , ହାଣ୍ଡିଆ
ଅରୁଆ ଚାଉଳ , ନାଲିମନ୍ଦାର , ଚୁଆ , ଅର୍ଖ ଫୁଲ ।

ହେ ପ୍ରେମମୟୀ
ତମେ ଧୂଳିଆ ଆକାଶରୁ ଧୂପ ପାଲଟିଲ
ବିପ୍ଲବୀନିରୁ ହେଲ ବିନ୍ଦୁଏ ବର୍ଷା
ଗୋଟାଏ ଚୁମାରେ ତୁମେ ପୁଣି ନାରୀ ହେଲ
ହେଲେ ପ୍ରେମମୟୀ
ପ୍ରେମିକା ପ୍ରେମିକା ।

ଏବେ ଏ ଜଙ୍ଗଲ ସାରା
ଭୋକ ଆଉ ଭୟର ହସ୍ତାକ୍ଷର
କେନ୍ଦୁପତ୍ର ତୋଳି ଯାଇଥିବା ମାଆ
କ’ଣ ଆଉ ଫରିବ ?
ବାପା ଯାଇଛି ଜଙ୍ଗଲକୁ
ଫେରିବ ଧରି ଶୁଖିଲା ଜାଳ
କ’ଣ ଫେରିବ ସିଏ ?
ମୁଠାଏ ମୁଢି ପାଇଁ ଦୌଡ଼ିଚି ଜଙ୍ଗଲ ସାରା
ହୁଙ୍କା ଭିତରୁ ସାପ ବିକି ପାଳିଚି ମକର
ହାତୀ ଖାଇଗଲା ପାଚିଲା ଧାନ , ମୋ ବାପା
ସାପ ଗିଳିଦେଲେ ପାଦ ମୋର , ମୋ ବୋଉ
ସବୁଜ ଶାଳପତ୍ରରେ ଏଠି ଜୀବନର ଲୁହବୁନ୍ଦା
ଶୁଖିଲା ପତ୍ରର ଜଳେ ଆମ ବୁନିଆଦିର କୋକେଇ ।

ସେଦିନ ଆମେ ଲଢ଼ିଲେ ପ୍ରିୟତମା
ଭୋକ ସହ , ବାଘ ସହ
ସର୍ଦ୍ଦାର ଓ ସକାର ସହ
ଗଛ କାଟୁଥିବା ବଣିକ
ପାଣି ଓ ପାହାଡ଼ ଲମ୍ପଟ
ଲୁଚିଗଲେ ସହରର ଗୁମ୍ଫା ମାନଙ୍କରେ ।

ଏ ଜଙ୍ଗଲରେ ଯେତିକି ପ୍ରେମ ଅଛି
ଅଛି ସେତିକି ବିପ୍ଳବ ।

ହେ ମୋର ଜଙ୍ଗଲ ପ୍ରେମିକ
ତତେ ମାଟି କହିବ ନାଚ୍
ଭୋକ କହିବ ନାଚ୍
ମାଦଳ କହିବ ନାଚ୍
ଜଙ୍ଗଲ କହିବ ନାଚ୍
ନାଚ୍ , ନାଚ୍ ,ନାଚ୍ ,ତୁ
ବେଣୀ ଫିଟେଇ ନାଚ୍ ।

ଲୋକପ୍ରିୟ ଲେଖା

To Top